ନୀଳଗିରି: ସରକାର ଗରିବଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ କିଛି ସରକାରୀ ବାବୁଙ୍କ ଅବହେଳା ଓ ସଚେତନ ଅଭାବରୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି। ନୀଳଗିରି ବ୍ଲକ୍‌ରେ ଅନେକ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଯୋଗ୍ୟ ଥିଲେ ମଧ୍ୟ ଭତ୍ତା ପାଇପାରୁ ନାହାନ୍ତି। ଆଜି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଧୋବଶିଳା ଗ୍ରାମକୁ ଯାଇଥିଲେ। ସେଠାରେ ତୁଳସୀ ସିଂ ନାମକ ଜଣେ ବୃଦ୍ଧା ଦୁଃଖକଷ୍ଟରେ ରହୁଥିବା ଦେଖି ଭତ୍ତା ଓ ରେସନ୍‌ ପାଉଛନ୍ତି ନା ନାହିଁ ପଚାରିଥିଲେ। ବୃଦ୍ଧା ଜଣକ କିଛି ପାଉନାହାନ୍ତି ବୋଲି କହିଥିଲେ। ଏହାରେ ସାଂସଦ ଶ୍ରୀମତୀ ସିଂଙ୍କୁ ନିଜ ଗାଡ଼ିରେ ବସାଇ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

Advertisment

ସେଠାରେ ବିଡିଓ ରାହୁଲ ମଣ୍ଡଳଙ୍କୁ ଭେଟି ଶ୍ରୀମତୀ ସିଂ’ଙ୍କୁ ଭତ୍ତା ଓ ରାସନ କାହିଁକି ମିଳୁନି ବୋଲି ପଚାରିଥିଲେ। ଏହି ସମୟରେ ଆଉକିଛି ଲୋକ ସେଠାରେ ପହଞ୍ଚି ସାଂସଦଙ୍କଠାରେ ସମାନ ଅଭିଯୋଗ କରିଥିଲେ। ଫଳରେ ସାଂସଦ ଓ ବିଡିଓଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଶେଷରେ ବିଡିଓ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୭ ଦିନ ମଧ୍ୟରେ ଭତ୍ତା ଓ ରାସନ୍‌ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।