ସରୁନି ବାଲେଶ୍ୱର ଜିଲ୍ଲା ହସ୍ପିଟାଲ୍ ସମସ୍ୟା: ଭିତ୍ତିଭୂମି ବଦଳିଲା, ସ୍ଥିତି ବଦଳିଲାନି
ବାଲେଶ୍ବର,(ମନୋଜ କୁମାର ରାଉଳ): ପୁରୁଣା ଭିତ୍ତିଭୂମିକୁ ବଦଳାଯାଇ ନୂଆ ଭିତ୍ତିଭୂମି ଗଢ଼ାହେଲା। ନୂତନ ବିଲ୍ଡିଂ ନିର୍ମାଣ ହେଲା। ବିଭିନ୍ନ ରୋଗ ପାଇଁ ସ୍ବତନ୍ତ୍ର ବିଭାଗ ଓ ସେଥିରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଲେ। ଷ୍ଟାଫ୍ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଲେ। ସର୍ବୋପରି ଜିଲ୍ଲା ହସ୍ପିଟାଲ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ ହେଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଏତେ ସବୁ ବ୍ୟବସ୍ଥା ଉପଲବ୍ଧ ପରେ ବି ବାଲେଶ୍ବର ଜିଲ୍ଲା ହସ୍ପିଟାଲର ସ୍ଥିତି ସୁଧୁରି ପାରିଲା ନାହିଁ। ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୋଟିଏ ପଟେ ଅଗ୍ରଗତି ହୋଇଥିବା ଦର୍ଶାଯାଉଥିବା ବେଳେ ଅନ୍ୟପଟେ ସ୍ଥିତିରେ କାହିଁକି ପରିବର୍ତ୍ତନ ହେଉନାହିଁ ବୋଲି ମନରେ ପ୍ରଶ୍ନ ଉଠୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ପୂର୍ବରୁ ଦିନକୁ ୧୨୦୦ରୁ ୧୫୦୦ ରୋଗୀ ଆସୁଥିଲେ। ହେଲେ ଏହା ମେଡିକାଲ କଲେଜର ହସ୍ପିଟାଲରେ ରୂପାନ୍ତରିତ ହେବା ପରେ ବିଭିନ୍ନ ରୋଗର ସ୍ବତନ୍ତ୍ର ବିଭାଗ ଖୋଲିବା ସହ ସେଥିରେ ବିଶେଷଜ୍ଞ ଓ ଡାକ୍ତରମାନେ ନିଯୁକ୍ତି ପାଇଛନ୍ତି। ଏଥିସହ ନିଦାନ ଓ ସହାୟ ଯୋଜନାରେ ଡାୟାଲିସିସ୍ ସିଟିସ୍କାନ୍, ଏମ୍ଆରଆଇ, ହାଇ ଆଣ୍ଡ ଲ୍ୟାବ୍, ଅଲଟ୍ରାସାଉଣ୍ଡ ଭଳି ବହୁମୂଲ୍ୟ ସେବାଗୁଡ଼ିକ ମାଗଣାରେ ଉପଲବ୍ଧ ମଧ୍ୟ ହୋଇଛି। ଫଳରେ ଏବେ ଜିଲ୍ଲା ହସ୍ପିଟାଲକୁ ପ୍ରତିଦିନ ପ୍ରାୟ ୨୫୦୦ରୁ ୩୦୦୦ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି। ହେଲେ ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜ ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଉଭୟ କର୍ତ୍ତୃପକ୍ଷଙ୍କ ସମନ୍ବୟର ଅଭାବ କିମ୍ବା ଉଦାସୀନତା ଯୋଗୁ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ଅବସ୍ଥା ମଧ୍ୟରେ ଗତି କରୁଛି। ଏବେ ଏପରି ସ୍ଥିତି ଉପୁଜିଛି ଯେ, ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜ କଲେଜରେ ନିଯୁକ୍ତ ହୋଇଥିବା ଅଧିକାଂଶ ଡାକ୍ତର ରୋଗୀ ଦେଖିବାକୁ ଆସୁନାହାନ୍ତି। ଆଉ ଯେଉଁମାନେ ଆସୁଛନ୍ତି ସେମାନେ ନାଁକୁ ଖାଲି କିଛି ସମୟ ରହି ବାକି ସମୟ ବାହାରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ରେ ରୋଗୀ ଦେଖୁଛନ୍ତି। ଡାକ୍ତର ଓ ନର୍ସମାନେ କେତେବେେଳ ଡ୍ୟୁଟିରେ ଆସୁଛନ୍ତି ଏବଂ ଯାଉଛନ୍ତି ତାହା ଜାଣିବା ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା ଏଯାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସରକାରୀ ହସ୍ପିଟାଲକୁ ପ୍ରତିଦିନ ରୋଗୀଙ୍କ ସୁଅ ଛୁଟୁଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ଡାକ୍ତରମାନଙ୍କର ଯେଉଁ ଅଭାବ ଦେଖାଦେଇଛି ସେଥିପାଇଁ ଅଧିକାଂଶ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। କେତେବେଳେ ରୋଗୀମାନେ ତୁରନ୍ତ ଚିକିତ୍ସା ପାଇଁ ଲାଞ୍ଚ ଦେଇଥାନ୍ତୁ ବା କେତେବେଳେ ଚିକିତ୍ସା ଅବହେଳା ନେଇ ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ କରିଥାନ୍ତୁ ଅଧିକାଂଶ ସମୟରେ ଏମିତି ଘଟଣା ଜାରି ରହିଛି।
ଅନ୍ୟପକ୍ଷରେ ହସ୍ପିଟାଲ ଫାଟକଠାରୁ ଆରମ୍ଭ କରି ଆଉଟ୍ଡୋର, ବିଭିନ୍ନ ବିଭାଗ ଏପରିକି ସେଣ୍ଟ୍ଲାଲ ଲାବ୍ରେଟୋରି, ଅପରେସନ୍ ଥିଏଟର ଓ ଆଇସିୟୁ ପର୍ଯ୍ୟନ୍ତ ସବୁଠି ଡାକ୍ତର ଓ ନର୍ସମାନଙ୍କୁ ଯେତିକି ଦେଖିବାକୁ ମିଳୁନି ସେତିକି ଘରୋଇ ହସ୍ପିଟାଲ, ନସିଂହୋମ୍, ଆମ୍ବୁଲାନ୍ସ, ମେଡିସିନ୍ େଷ୍ଟାର ଓ ଲାବ୍ରେଟୋରିର ଦଲାଲମାନଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଛି। ରୋଗୀମାନଙ୍କୁ ସରକାରୀ ଚିକିତ୍ସା ସେବା ବିରୋଧରେ ବିଭିନ୍ନ କଥା କହି ଭୟଭୀତ କରାଇ ଦଲାଲମାନେ ଘରୋଇ ଚିକିତ୍ସା କରିବା ପାଇଁ ନେଇ ଯାଉଛନ୍ତି। ମାଗଣାରେ ଚିକିତ୍ସା ହେବା ପାଇଁ ଗରିବ ସାଧାରଣ ଲୋକମାନେ କାହିଁ କେତେଦୂରରୁ ଜିଲ୍ଲା ହସ୍ପିଟାଲ ଦୌଡ଼ି ଆସୁଥିବା ବେଳେ ଏଠାରେ ଶୋଷଣର ଶିକାର ହୋଇ ଫେରୁଛନ୍ତି। କର୍ତ୍ତୃପକ୍ଷ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁ ଏମାନଙ୍କ ବିରୋଧରେ ବାାମ୍ବାର ଅଭିଯୋଗ ହେଉଥିଲେ ବି କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ। ୟାଛଡ଼ା ହସ୍ପିଟାଲର ବାତାବରଣକୁ ଠିକ୍ ଭାବେ ପରିଚାଳନା ପାଇଁ ମଧ୍ୟ ନଜର ଦିଆଯାଉନାହିଁ। ସେହିପରି ଗାଡ଼ି ପାର୍କିଂ ବ୍ୟବସ୍ଥା, ସିସି କ୍ୟାମେରା, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା ଆଦି କାର୍ଯ୍ୟକାରୀ ହୋଇପାରୁନି। ଅଳିଆକୁଣ୍ଡ, ଡ୍ରେନେଜ୍ ଓ ଶୌଚାଳୟଗୁଡ଼ିକ ଠିକ୍ ଭାବେ ସଫାସୁତୁରା କରାଯାଉନାହିଁ। ସବୁ ସମୟରେ ଚୋର, ଦଲାଲ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ହସ୍ପିଟାଲ ପରିସର। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରୋଗୀମାନଙ୍କ ସହ ଆସୁଥିବା ତାଙ୍କ ସହଯୋଗୀ କିମ୍ବା ସମ୍ପର୍କୀୟମାନଙ୍କୁ ନେଇ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହେଉଛି। ଜଣେ ରୋଗୀ ସହ କେତେଜଣ ସହଯୋଗୀ ରହିବେ ସେନେଇ କିଛି କଟକଣା ନଥିବାରୁ ବିଭିନ୍ନ ବିଭାଗ ଭିତରେ ଅଯଥା ଭିଡ଼ ଜମୁଛି। ଏନେଇ ଜିଲ୍ଲା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଛି। ମାତ୍ର କେତେବେଳେ ଜିଲ୍ଲା ହସ୍ପିଟାଲ କର୍ତ୍ତୃପକ୍ଷ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି ତ କେତେବେଳେ ସେମାନେ ୟାଙ୍କୁ ଦାୟୀ କରୁଛନ୍ତି। ଉଭୟ ଉଭୟଙ୍କୁ ପ୍ରତି ପ୍ରସଙ୍ଗରେ ଦୋଷ ଠେଲାଠେଲି ଯୋଗୁ ସ୍ଥିତି ସଙ୍ଗୀନ ଅବସ୍ଥାକୁ ଗତି କଲାଣି। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ହସ୍ପିଟାଲର ଉଭୟ କର୍ତ୍ତୃପକ୍ଷ ଏବେଠୁ ସଜାଗ ହେବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି।