ଲକଡାଉନ ବଦଳାଇଲା ବେପାର ଫଣ୍ଡା, ୨୩ ମସଲାରେ ପ୍ରସ୍ତୁତ କଲେ ହର୍ବାଲ ଟି

ବାଲେଶ୍ୱର: ଯୁବ ଠୁ ବୁଢା, ସକାଳ ହେଉ କି ସନ୍ଧ୍ୟା ସଭିଙ୍କ ଦୈନଦିନ ଜୀବନରେ ଚା ର ଏକ ସ୍ୱତନ୍ତ୍ର ସ୍ଥାନ ଥାଏ | କାରଣ ଅନେକ ଭାବନ୍ତି ଚା ର ଗୋଟିଏ ଚୁସ୍କି ହିଁ ମନକୁ ତାଜା କରିଦିଏ | ଆଉ ସେହି ଚା ପ୍ରେମୀଙ୍କ ମନ କଥା ବୁଝିଛନ୍ତି ମନୁ ଭାଇ | କରୋନା କଟକଣାରେ କାନ୍ଦିବା ପରେ ବେପାରର ବାଟ ବଦଳାଇଥିଲେ ବାଲେଶ୍ୱରର ଚା ଦୋକାନୀ ମନୋରଞ୍ଜନ ଦାସ ଓରଫ ମନୁ ଭାଇ | ଲକଡାଉନ ବେଳେ ଦୋକାନ ବନ୍ଦ ରହିବା ପରେ ପୁଣି ଅଣ୍ଟା ସଳଖି କ୍ଷୀର ଚା ଦୋକାନ ଆରମ୍ଭ କରିଥିଲେ ମନୁ ଭାଇ, ହେଲେ କ୍ଷୀର ଚା କୁ ଏତେ ଆଦରି ନଥିଲେ ଚା ପ୍ରେମୀ | ତେଣୁ ବେପାରର ନୂଆ ଫଣ୍ଡା ଆପଣାଇଛନ୍ତି ୬୮ ବର୍ଷୀୟ ମନୁ ଭାଇ |


କ୍ଷୀର ଚା ଦୋକାନରୁ ମଲ୍ଟି ଚା ଦୋକାନୀ ପାଲଟିଥିବା ମନୁ ଭାଇଙ୍କ କାହାଣୀ କିଛି ଏମିତି ରହିଛି | ବାଲେଶ୍ବର ସହରର ଫକୀରମୋହନ ଗୋଲେଇ ଯାତ୍ରୀ ବିଶ୍ରାମଗାର କଡ଼ରେ ୧୯୮୪ ମସିହାରୁ ଦୋକାନ ଖୋଲିଥିଲେ ମନୁ ଭାଇ | ହେଲେ ଲୋକଙ୍କର କ୍ଷୀର ଚା ପ୍ରତି ଆଗ୍ରହ କମିବା ଦେଖି ଲୋକଙ୍କ ସ୍ୱାସ୍ଥ୍ୟକୁ କିଭଳି ଫିଟ ରଖିହେବ ସେଥିପାଇଁ ଆରମ୍ଭ କଲେ ନୂଆ ବେପାର | ସେହି ଦୋକାନରେ ପ୍ରସ୍ତୁତ କଲେ ହର୍ବାଲ ଟି | ଅଦା, ଶୁଣ୍ଠୀ, ଡାଲଚିନି, ଲବଙ୍ଗ ସହ ଅଶ୍ଵଗନ୍ଧା ପତ୍ର, ଧନ୍ଵନ୍ତରୀ ପତ୍ର, କଞ୍ଚା ହଳଦୀ ସହ ୨୦ଟି ଉପାଦାନ ମିଶାଇ ପ୍ରସ୍ତୁତ କଲେ ହର୍ବାଲ ଟି |

ପ୍ରତିଦିନ ସକାଳୁ କବିରାଜି ଦୋକାନକୁ ଯାଇ ମନୁ ଭାଇ ସଂଗ୍ରହ କରନ୍ତି ବିଭିନ୍ନ ଔଷଧୀୟ ଉପାଦାନ | ଆଉ ଆରମ୍ଭ କରନ୍ତି ଔଷଧୀୟ ଚା ର ପସରା | ଗୋଟିଏ ଚା କପ ର ଦାମ ପୂର୍ବରୁ ଯାହା ଥିଲା ସେହି ଦାମରେ ମନୁ ଭାଇ ଦେଉଛନ୍ତି ମନ ମୋହୁଥିବା ଚା | ଦିନକୁ ପାଖାପାଖି ୧୦୦ କପ ପ୍ରସ୍ତୁତ କରୁଥିବା ମନୁ ଭାଇଙ୍କ ଚା ଦୋକାନରେ ଏବେ ଲୋକଙ୍କ ଭିଡ ଲାଗୁଛି | ଆଉ ମନୁ ଭାଇ କୁହନ୍ତି ବେପାର ଅପେକ୍ଷା ଆତ୍ମସନ୍ତୋଷ ବଡ କଥା, ଯାହା ଗରାଖଙ୍କ ମୁହଁରୁ ବାରିହୋଇପଡ଼େ |

 

ସମ୍ବନ୍ଧିତ ଖବର