ବାଲେଶ୍ୱର: ବାଲେଶ୍ୱର ଜିଲ୍ଳା ଚାନ୍ଦିପୁର ଥାନା ଅଧିନସ୍ଥ ଗୁଡୁ ପଞ୍ଚାୟତର ବାଘମୁଣ୍ଡାଠାରେ ଗତ ସୋମବାର ଏକ ହତ୍ୟାକାଣ୍ଡ ଘଟିଥିଲା। ସଦର ଥାନା ଅନ୍ତର୍ଗତ ସଇପୁର ଅଞ୍ଚଳସ୍ଥିତ ଇଞ୍ଚୁଡିଆ ଗ୍ରାମର ବାଙ୍କା ଦଳେଇଙ୍କ ପୁଅ ସପନ ଦଳେଇ(୩୦)ଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ରାଜମିସ୍ତ୍ରୀ କାମ କରୁଥିବା ସପନଙ୍କୁ କୃଷ୍ଣଚନ୍ଦ୍ର ମାରାଣ୍ଡି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏହି ଘଟଣାର ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ମାତ୍ର ବୁଧବାର କୃଷ୍ଣଚନ୍ଦ୍ର ମାରାଣ୍ଡିଙ୍କର ସନ୍ଦେହଜନକ ମୃତ୍ୟୁ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। କୃଷ୍ଣଚନ୍ଦ୍ର ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ସଂପୃକ୍ତ ଅଞ୍ଚଳରେ ଚିଙ୍ଗୁଡ଼ିଘେରି ଓ ଏକ ମଦଭାଟି ରହିଛି । କୃଷ୍ଣଚନ୍ଦ୍ର ହେଉଛନ୍ତି ଉଭୟ ଚିଙ୍ଗୁଡ଼ିଘେରି ଓ ମଦଭାଟିର ମାଲିକ। ସୋମବାର ସଂଧ୍ୟାରେ କିଛି ଯୁବକ ସେଠାକୁ ମଦ ପିଇବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ପରସ୍ପରଙ୍କ ସହ କଳିଝଗଡ଼ା ହେବାରୁ କଥା ବଢ଼ି ହତ୍ୟା ପର୍ଯ୍ୟନ୍ତ ଯାଇଥିଲା। ସପନଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ। ୨୪ ଘଣ୍ଟା ମଧ୍ୟରେ ସେମାନେ ହତ୍ୟାକାରୀର ଗିରଫ ଦାବି କରିଥିଲେ।