ତନ୍ତ୍ର ସାଧନାର କରୁଣ ପରିଣତି: ଧନୀ ହେବା ଲୋଭରେ ବାପ ଘର ଲୋକେ ମହିଳାଙ୍କ ଆଖି ତାଡ଼ିବା ଅଭିଯୋଗ, ଜଳେଶ୍ବରରେ ଚାଞ୍ଚଲ୍ୟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଥାନାର ଖୁଦିଆମାଝୀସାହି ପଞ୍ଚାୟତ ଅଧିନସ୍ଥ ଗୋପାଳପ୍ରସାଦ ଗାଁରେ  ତନ୍ତ୍ର ସାଧନାରୁ ଜଣେ ମହିଳାଙ୍କ ଆଖି ଓ ମୁଣ୍ଡକୁ ଏକ ଧାରୁଆ କଣ୍ଟା ଓ ଛୁଞ୍ଚି ସାହାଯ୍ୟରେ ତାଡି ପକାଇବା ସହ ସେଠାରୁ ନିର୍ଗତ ରକ୍ତ ନେଇ ପୂଜାର୍ଚ୍ଚନା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଲେଶ୍ବର ଭଳି ସମ୍ଭ୍ରାନ୍ତ ଓ ଶିକ୍ଷା ସଚେତନ ଜିଲ୍ଲାରେ ତନ୍ତ୍ର ସାଧନାକୁ କେନ୍ଦ୍ର କରି ନିଜ ବାପଘର ଲୋକଙ୍କ ଦ୍ବାରା ମହିଳା ଏହିପରି ନିଷ୍ଠୁରତାର ଶିକାର ହେବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବନ୍ଦ କୋଠରୀରେ ରଖାଯାଇ ଏପରି ଘୃଣ୍ୟ କାମ କରାଯାଇଥିବା ବେଳେ ଭୋର ସମୟରେ ତାଙ୍କ ଚିତ୍କାର ଶୁଣି ସ୍ବାମୀ ଓ ଗ୍ରାମବାସୀ ଉଦ୍ଧାର କରିବା ସହ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣି ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଗୋପାଳପ୍ରସାଦ ଗାଁର ରବିନ୍ଦ୍ର ଦଳାଇଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କୁ ଗତକାଲି ରାତି ପ୍ରାୟ ୯ଟାରେ ତାଙ୍କ ଭାଇ ବଳରାମ ଘରକୁ ଡାକିଥିଲେ। ସନ୍ଧ୍ୟା ଘରକୁ ଯିବା ମାତ୍ରେ ଘରର କବାଟ ଭିତରପଟୁ ବନ୍ଦ କରି ଦିଆଯାଇଥିଲା। ସେହି ଘର ଭିତରେପଶ୍ଚିମବଙ୍ଗର ଆଙ୍ଗୁଆ ଗ୍ରାମର ବାସନ୍ତୀ ବେରା,ପତ୍ନୀ ମନୀ,ସାନଭାଇ ପରିମଳ ରହିଥିବା ବେଳେ ସେଠାରେ ଏକ ଖପୁରୀକୁ ରଖି ପୂଜା ଆରମ୍ଭ ହୋଇଥିଲା। ତେବେ ପୂଜା ମଧ୍ୟ ଭାଗରେ ସେହି ଖପୁରୀକୁ ରକ୍ତ ଦେବା ପାଇଁ ସନ୍ଧ୍ୟାର ଆଖିରେ ପ୍ରଥମ ଛୁଞ୍ଚି ଫୋଡିବା ସହ ପରେ ପୁଣି ମୁଣ୍ଡରେ ଏକ ଲୁହା କଣ୍ଟାକୁ ଫୁଟାଇ ଥିଲେ। ଯନ୍ତ୍ରଣାରେ ଯେତେ ଚିତ୍କାର କରିଥିଲେ ବି ଆମ ପରିବାର ଧନୀ ହେବା ପାଇଁ ଏହି ପୂଜା ଚାଲିଛି ଓ ପୂଜା ଶେଷ ହେବା ଯାଏ ଏଠାରେ ରହିବାକୁ ପଡିବ ବୋଲି ସନ୍ଧ୍ୟାଙ୍କୁ ଶୁଣାଇ ଦିଆଯାଇଥିଲା।ତେବେ ବିଳମ୍ବରେ ସନ୍ଧ୍ୟାଙ୍କ ସ୍ବାମୀ ରବିନ୍ଦ୍ର ଚିତ୍କାର ଶୁଣି ଉକ୍ତ ବନ୍ଦ କୋଠରୀର କବାଟ ବାଡେଇ ଥିଲେ ମଧ୍ୟ ଅନ୍ୟ ଏକ ଘରେ ଥିବା ତାଙ୍କ  ଶଶୁର ଗୟାପ୍ରସାଦ ଘରଭିତରକୁ ଯାଇପାରିବନି କହି ଠେଲାପେଲା କରିଥିଲେ।

ଶେଷରେ ଅନ୍ୟ ଉପାୟ ନ ପାଇ ରବିନ୍ଦ୍ର ଗାଁ ଲୋକଙ୍କ ସହାୟତା ନେଇଥିଲେ। ଭୋର ସମୟରେ ଗାଁ ଲୋକେ ସନ୍ଧ୍ୟାଙ୍କୁ ଉଦ୍ଧାର କରି ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟା ଖୁଦିଆମାଝୀସାହି ପଞ୍ଚାୟତର ୧ ନମ୍ବର ଓ୍ବାର୍ଡର  ସଭ୍ୟ ମଧ୍ୟ ରହିଛନ୍ତି। ଏନେଇ ପୁଲିସରେ କୌଣସି ମାମଲା ରୁଜୁ ହୋଇନାହିଁ। ତେବେ ଏହି ପରିବାର ଧନୀ ହେବା ପାଇଁ ଆଙ୍ଗୁଆର ବାସନ୍ତୀ ବେରାଙ୍କ କହିବା ଅନୁଯାୟୀ ଏହିପରି ତନ୍ତ୍ରପୂଜା କରାଯାଉଥିଲା ବୋଲି କୁହାଯାଉଛି।ଏହି ଘଟଣାକୁ ନେଇ ଗୋପାଳପ୍ରସାଦ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର