ନୀଳଗିରି (ଦିଲ୍ଲୀପ ସ୍ବାଇଁ): ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଇଂରେଜଙ୍କ କବଳରୁ ​ଆମ ଦେଶ ଭାରତ ସ୍ବାଧୀନ ହେଲା। ସ୍ବାଧୀନତା ଆଣିବା ପାଇଁ ହଜାର ହଜାର ସଂଗ୍ରାମୀ ଗୋରା ଫୌଜର ବନ୍ଧୁକ ଗୁଳିରେ ସହିଦ ହୋଇଛନ୍ତି। ସେହିପରି ଅନେକେ ଚାବୁକ ପାହାର ଖାଇଛନ୍ତି ଏବଂ ଜେଲ୍‌ ଯାଇଛନ୍ତି। ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ଅଧିକାଂଶ ସଂଗ୍ରାମୀ ଦିବଂଗତ। ହେଲେ ଏବେ ବି କିଛି ସଂଗ୍ରାମୀ ବିଞ୍ଚିଛନ୍ତି। ଯେଉଁମାନଙ୍କ ଆଖିରେ ଆଖି ମିଶାଇଲେ ଦେଶ ପ୍ରତି ଥିବା ଆନୁଗତ୍ୟ ବେଶ୍‌ ବାରି ହୋଇ ପଡ଼େ। ସେମାନେ ଗାନ୍ଧୀଙ୍କ ଆଦର୍ଶରେ ଜିଉଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅଛନ୍ତି ସେଇମିତି ଦୁଇ ଭାଇ।
ନୀଳଗିରି ଉପଖଣ୍ଡ ଦକ୍ଷିଣ ନରସିଂହପୁର ଗ୍ରାମର ବ୍ରାହ୍ମଣକୁଳରେ ଜନ୍ମ ନେଇଥିଲେ କେଶବ ପାଣିଗ୍ରାହୀ ଏବଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ। ବଡ଼ଭାଇ କେଶବ ମାଇନର ପର୍ଯ୍ୟନ୍ତ ପଢ଼ିଥିଲେ। ପାରିବାରିକ କାରଣ ପାଇଁ ସାନଭାଇ ପୂର୍ଣ୍ଣଚନ୍ଦ୍ର ଚାଟଶାଳି ବି ଯାଇପାରି ନଥିଲେ। ଉଭୟ ପିଲାଦିନୁ ମାଆଙ୍କୁ ହରାଇଥିଲେ। ମାତୃପ୍ରେମରୁ ବଞ୍ଚିତ ହୋଇଥିବା ଦୁଇଭାଇ କିନ୍ତୁ ଭାରତମାତାର ପ୍ରେମରେ ପଡ଼ିଗଲେ। ସେମାନେ ରାଜା ଶାସନକୁ ବିରୋଧ କରିବା ଆରମ୍ଭ କରିଥିଲେ। ପରେ ପରେ ସ୍ବାଧୀନତା ସଂଗ୍ରାମରେ ସାମିଲ ହେଲେ।

Advertisment

publive-image

୧୯୪୨ ମସିହା ଅକ୍ଟୋବର ମାସ ୬ ତାରିଖ ଦିନ ଗୋରା ଫୌଜ ଦୁଇ ଭାଇଙ୍କୁ ଗିରଫ କରି ନେଇଥିଲା। ଗୋଟିଏ ବର୍ଷ ପରେ କାରାଗାରରୁ ମୁକ୍ତ ହୋଇଥିଲେ ସେମାନେ। କାରାଗାରରୁ ଫେରି ଉଭୟ ପୁଣି ସ୍ବାଧୀନତା ସଂଗ୍ରାମରେ ମାତିଯାଇଥିଲେ। ଏବେ କେଶବ ଓ ପୂର୍ଣ୍ଣଚନ୍ଦ୍ରଙ୍କ ବୟସ ୯୦ ପାର୍‌ ହେଲାଣି। ଦେହରେ ଯୁ’ ନାହିଁ। ଆଖିକୁ ଭଲ ଦିଶୁନି କି କାନକୁ ଭଲ ଶୁଭୁନି। ତଥାପି ଭାରତର ସ୍ବାଧୀନତା କଥା​ ପଚାରିଲେ ଆପଣା ଛାଏଁ ସେମାନଙ୍କ ମୁହଁରେ ହସ ଫୁଟିଉଠେ। ଏବେ ବି କେଶବ ଓ ପୂର୍ଣ୍ଣଚନ୍ଦ୍ର ଗାନ୍ଧୀଙ୍କ ଆଦର୍ଶରେ ଜିଉଁଛନ୍ତି। ଉଭୟଙ୍କ ଶାନ୍ତ ଓ କାନ୍ତ ମୁଖମଣ୍ଡଳ ଏବଂ ସେମାନେ ପିନ୍ଧୁଥିବା ଧୋତି ଓ କୁର୍ତ୍ତାକୁ ଦେଖିଲେ ଏ କଥା ଯେ କେହି ବି ଜାଣିପାରିବେ। ପରାଧୀନ ଭାରତକୁ ସ୍ବାଧୀନ କରିବା ଦିଗରେ କେଶବ ଓ ପୂର୍ଣ୍ଣଚନ୍ଦ୍ରଙ୍କ ଅବଦାନ ପାଇଁ ଉଭୟଙ୍କୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୨୦୧୩ ମସିହା କ୍ରାନ୍ତି ଦିବସ ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ କେଶବଙ୍କୁ ସମ୍ମାନିତ କରିଥିଲେ।
ଆଜି ଜାତିର ପିତା ଇହଜଗତରେ ନାହାନ୍ତି। ହେଲେ କେଶବ ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖିଲେ ତାଙ୍କ ଭିତରେ ଗାନ୍ଧୀ ଦେଖା ଯାଉଛନ୍ତି। ଆଜି ବାପୁଙ୍କ ଜନ୍ମଦିନ। ଏଥିପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି। ଏହି ଅବସରରେ ‘ସମ୍ବାଦ’ ଓ ତା’ର ଅଗଣିତ ପାଠ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଏବଂ ଦୁଇ ସଂଗ୍ରାମୀ ଭାଇଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା ସହ ସପ୍ରେମ ପ୍ରଣିପାତ କରୁଛନ୍ତି।