ବାଲେଶ୍ୱର : ବାଲେଶ୍ବର ସଦର ଉପନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ  ସ୍ବରୂପ ଦାସଙ୍କ ବିଜୟ ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ସମୁଦାୟ ୨୫ ରାଉଣ୍ଡ ମଧ୍ୟରୁ ୨୧ ରାଉଣ୍ଡ ଗଣତି ଶେଷ ହୋଇଛି। ୧୯ ତମ, ୨୦ ତମ ଓ ୨୧ତମ  ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ  ଆଗୁଆ ରହିଥିଲେ ହେଁ  ବିଜେଡିର ସ୍ବରୂପ ଦାସ ତାଙ୍କଠାରୁ ୬୮୨୭ଭୋଟରେ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀଙ୍କର ଏଠାରେ ବୃହତ ବିଜୟ ଲାଭ କରିବା ସମ୍ଭାବନା କମ୍ ରହିଥିଲେ ହେଁ ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆଉ ୪ଟି ରାଉଣ୍ଡର ଫଳାଫଳ ବିଜେପିକୁ ବିଜୟ ଦେଇପାରିବାର ସମ୍ଭାବନା ଦେଖାଯାଉ ନାହିଁ।

Advertisment

ବାଲେଶ୍ୱରରେ ମଧ୍ୟାହ୍ଣ ଭୋଜନ ବିରତି ପରେ ଗଣତି ତ୍ବରାନ୍ବିତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଗଣତି ଫଳାଫଳ ପ୍ରକ‌ାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଏଯାବତ୍ ହୋଇଥିବା ୨୧ ରାଉଣ୍ଡ ଗଣତି ମଧ୍ୟରେ  ବିଜେପି ମାତ୍ର ୬ଟି ରାଉଣ୍ଡରେ ବିଜେଡିକୁ ପଛରେ ପକାଇବାକୁ ସକ୍ଷମ ହୋଇଥିଲା। ମାତ୍ର ଭୋଟ ବ୍ୟବଧାନ ଖୁବ୍ କମ୍ ଥିବାରୁ ଏହା କୌଣସି ଲାଭ ଦେବାକୁ ସକ୍ଷମ ହେବନାହିଁ।

୨୦ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ସମୁଦାୟ ୬୭,୭୧୯ ଭୋଟ ପାଇଥିବା ବେଳେ ବିଜେପି ୬୧,୪୩୨ ଭୋଟ ପାଇଛି। କଂଗ୍ରେସ ମାତ୍ର ୩୫୩୯ଟି ଭୋଟ ପାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଛି।