ରେମୁଣା: ବିଜେଡି ପଞ୍ଚାୟତ ସଭାପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ  ଅଭିଯୁକ୍ତକୁ ଗିରଫ ଦାବିରେ ବିଜେଡି ପକ୍ଷରୁ ରାସ୍ତାରୋକ, ସରପଞ୍ଚ ଗିରଫ 

ରେମୁଣା: ବାଲେଶ୍ବର ଜିଲ୍ଲା ରେମୁଣାରେ ଦୁର୍ବୃତ୍ତଙ୍କ ପ୍ରାଣାନ୍ତକ ଆକ୍ରମଣରେ ବିଜେଡି ମଙ୍ଗଳପୁର ପଞ୍ଚାୟତ ସଭାପତି ସୁଶାନ୍ତ ପଣ୍ଡା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ବିଜେଡି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ପୁଲିସ ବୁଝାସୁଝା କରିବା ଓ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଙ୍ଗଳପୁର ସରପଞ୍ଚ ଉମାକାନ୍ତ ପଣ୍ଡାଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା।  ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ନିର୍ବାଚନ ପ୍ରସ୍ତୁତି କାମ ସାରି ସୁଶାନ୍ତ ଘରକୁ ଫେରୁଥିଲେ। ଏହି ସମୟରେ ପାଟଣା ରାଇପୁର ଛକ ନିକଟରେ ଥିବା ଏକ କଣ୍ଟ୍ରୋଲ ଦୋକାନ ନିକଟରେ କିଛି ଦୁର୍ବୃତ୍ତ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଦଳୀୟ କର୍ମୀ ଓ ଗ୍ରାମବାସୀ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ବାଲେଶ୍ବର ମେଡିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ଏହି ଘଟଣା ଆଜି ପ୍ରଚାର ହୋଇଯିବା ପରେ ଶତାଧିକ ବିଜେଡି କର୍ମୀ ସିଙ୍ଗଲା-ହରିଶପୁରା ନିକଟରେ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ରାଜପଥ ଅବରୋଧ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ମାତ୍ର ଅବରୋଧକାରୀମାନେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଅଡ଼ି ବସିଥିଲେ। ପରେ ପୁଲିସ ଆକ୍ରମଣରେ ସମ୍ପୃକ୍ତି ନେଇ ମଙ୍ଗଳପୁର ସରପଞ୍ଚ ଉମାକାନ୍ତ ପଣ୍ଡାଙ୍କୁ ଗିରଫ କରିବା ପରେ ରାସ୍ତାରୋକ ହଟିଥିଲା। ଏ ନେଇ ଉଭୟଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଏହି ଘଟଣାପରେ ଆଜି ମଙ୍ଗଳପୁରର ସମସ୍ତ ବୁଥ୍‌ରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିଲା।

ସମ୍ବନ୍ଧିତ ଖବର