ବାଲେଶ୍ବର: ବାଲେଶ୍ବର ସଦର ଉପନିର୍ବାଚନର ଭୋଟ ଗଣତି ଶେଷ ହୋଇଛି । ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ  ସ୍ବରୂପ ଦାସ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୧୩,୧୯୫ ଭୋଟରେ ଆଗରେ ରହିଛନ୍ତି। ଯଦିଓ ବିଜେଡିର ବିଜୟ ସୁନିଶ୍ଚିତ ହୋଇଛି ତେବେ ବିଜୟ ନେଇ ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ମୋଟାମୋଟି ଏହି ବିଜୟ ଫଳରେ ବାଲେଶ୍ବର ସଦର ଆସନ ବିଜେଡି ଦଖଲକୁ ଯାଇଛି। ସମୁଦାୟ ୨୫ ରାଉଣ୍ଡ  ଗଣତି ଶେଷ ହୋଇଛି ଓ ଏହି ସମସ୍ତ ରାଉଣ୍ଡ ମଧ୍ୟରୁ ମାତ୍ର ୬ଟି ରାଉଣ୍ଡରେ କେବଳ ବିଜେପି ଆଗରେ ରହିବାକୁ ସକ୍ଷମ ହୋଇଥିଲା । ତେବେ ଭୋଟ୍ ବ୍ୟବଧାନ ଅଧିକ ନ ଥିବାରୁ ଏହା ବିଜେପିକୁ ଲାଭ ଦେଇ ପାରି ନ ଥିଲା।  ଚଳିତ ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରତି ଭୋଟର ସମର୍ଥନ ପ୍ରାୟ ୧୨ ପ୍ରତିଶତ ବୃଦ୍ଧିପାଇଥିବା ବେଳେ ଗତଥର ଏହି ଆସନ ଜିତିଥିବା  ବିଜେପି ୩ ପ୍ରତିଶତ ଭୋଟ ହରାଇଛି।

Advertisment

୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମଦନ ମୋହନ ଦତ୍ତ ଏହି ଆସନରୁ ବିଜୟ ଲାଭ କରିିଥିଲେ। ତାଙ୍କର ଅକାଳ ବିୟୋଗ ଫଳରେ ଏହି ଆସନ ଖାଲି ପଡ଼ିଥିଲା ଓ ଏହାର ପୂରଣ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଆସନରେ ବିଜେପି ପକ୍ଷରୁ ଦିବଂଗତ ମଦନ ମୋହନ ଦତ୍ତଙ୍କର ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଥିଲା। ରାଜନୈତିକ ବି‌ଶ୍ଳେଷକମାନେ ଆଶା କରୁଥିଲେ କି ମାନସ ଦତ୍ତଙ୍କ ପ୍ରାର୍ଥୀତ୍ବ ଭୋଟରଙ୍କ ଅନୁକମ୍ପା ଲାଭ କରିବ। ମାତ୍ର ଏହା ଭୁଲ୍‌ ପ୍ରମାଣିତ ହୋଇଛି ।  ବିଜୁ ଜନତା ଦଳର ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ଜିତାଇଛନ୍ତି ବାଲେଶ୍ବର ସଦର ବାସିନ୍ଦା।

ବିଜେପି ପ୍ରାର୍ଥୀ ମାନସ ଦତ୍ତ ରାଜନୀତି କ୍ଷେତ୍ରରେ ନୂତନ ହୋଇଥିଲେ ବି ଶାସକ ଦଳର ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଛନ୍ତି। ବିଜୁ ଜନତା ଦଳର ବାଲେଶ୍ବର ପ୍ରଭାରୀ ମନ୍ତ୍ରୀ ପ୍ରତାପ ଜେନା  ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଆମେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ପ୍ରତିଟି ଭାଇଭଉଣୀଙ୍କୁ କୃତଜ୍ଞତା ଜଣାଉଛୁ। ସେମାନେ ବିକାଶଧାରାରେ ସାମିଲ୍‌ ହୋଇଛନ୍ତି। ଆମର ପ୍ରାର୍ଥୀ ସଂପୂର୍ଣ୍ଣ ନୂଆ ହୋଇଥିଲେ ହେଁ  ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆର୍ଶୀର୍ବାଦ ବଳରେ ଏହି ବିଜୟ ସମ୍ଭବ ହୋଇଛି। ବାଲେଶ୍ବର ସଦରର ବିକାଶ ଧାରାକୁ ତ୍ବରାନ୍ବିତ କରିବା ଲାଗି ସମସ୍ତେ ମନସ୍ଥିର କରିବା ପରେ ଏହି ବିଜୟ ସମ୍ଭବ ହୋଇଛି ବୋଲି ସେ ପ୍ରାଥମିକ ପ୍ରତିକ୍ରିୟା ରଖିଥିଲେ।