ବାଲେଶ୍ଵର: ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅଧୀନ ତେଲେଙ୍ଗାସାହିରେ ଜଣେ ଯୁବକକୁ ଅଚାନକ ଛୁରାମାଡ଼ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ରଣସାହି ଗ୍ରାମର ତନ୍ମୟ ମହାନ୍ତି(୩୩)। ସେ ବିଜେଡିର ଜଣେ ସକ୍ରିୟ କର୍ମୀ ଅଟନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ତେଲେଙ୍ଗାସାହିର ଏସିପିଏଲ୍ ଫ୍ଲାଟରୁ ଶ୍ରୀ ମହାନ୍ତି ସବୁଦିନ ପରି ସକାଳେ ବଜାରକୁ ଯାଉଥିଲେ। ସକାଳ ପ୍ରାୟ ୯ଟାରେ ସେ ସ୍କୁଟିରେ ବାହାରିଥିଲେ। ଘର ଫାଟକ ସମ୍ମୁଖରେ ତାଙ୍କୁ ହଠାତ୍ ଢେଲା ମାଡ଼ ହେଲା। ସେ ତଳେ ପଡ଼ିଗଲା ପରେ ତାଙ୍କୁ ଅଜଣା ଯୁବକ ଜଣେ ଆସି ଛୁରାମାଡ଼ କରିଥିଲା। ସେ ଚିତ୍କାର କରିବା ମାତ୍ରେ ଯୁବକଜଣକ କିଛିବାଟ ଦୌଡ଼ି କିଛି ଦୂରରେ ଅଟକି ରହିଥିବା ଏକ ବାଇକରେ ବସି ଫେରାର ହୋଇଯାଇଥିଲେ। ଆହତ ତନୟଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

ସୂଚନା ପାଇ ଡାକ୍ତରଖାନାରେ ପ୍ରାକ୍ତନ ସାଂସଦ ରବୀନ୍ଦ୍ର ଜେନା, ବିଜେଡି ନେତା ଯଯାତି ଦାସ, କାଉନସିଲର ସଞ୍ଜୀବ ଦାସ, ଯୁବନେତା ଭାଗବତ ସାହୁ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଆକ୍ରମଣର କାରଣ ଜଣା ପଡ଼ିନାହିଁ। ତେବେ ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସହଦେବଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।