ତାପଙ୍ଗକୁ ବି ଚକମା ଦେଇଦେବ ଓଡ଼ିଶାର ଏହି ସ୍ଥାନ!

ଭୁବନେଶ୍ୱର: ଜନସ୍ୱାର୍ଥକୁ ଆଖିଆଗରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜିଗଡ଼ ତାପଙ୍ଗଙ୍କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି | ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଥିଲା । ତେବେ ଏହାରି ଭିତରେ ଠିକ ତାପଙ୍ଗ ଭଳି ଦିଶୁଥିବା ଆଉ ଏକ ସ୍ଥାନ ଏବେ ସାମ୍ନାକୁ ଆସିଛି | ବାଲେଶ୍ଵରଠାରୁ ୨୦ କିଲୋମିଟର ଦୂରରେ ନୀଳଗିରିର ମିତ୍ରପୁରରେ ରହିଛି ଏହି ସ୍ଥାନ | ତାପଙ୍ଗ ଠାରୁ ପୁରୁଣା ଏହି ଜଳାଶୟ ବ୍ଲୁ ଲେକ ଭାବେ ବେଶ ପରିଚିତ ଥିବାବେଳେ ଏଠାରେ ମଧ୍ୟ ଦିନେ ପଥର ଖାଦାନ ଥିଲା |

କିନ୍ତୁ ପାଖାପାଖି ୧୦ ବର୍ଷ ତଳେ ଏଠାରୁ ପଥର ଖୋଳି ନିଆଯିବା ପରେ ବର୍ଷା ପାଣି ଜମି ଏଭଳି ଏକ କୁତ୍ରିମ ହ୍ରଦ ସୃଷ୍ଟି ହୋଇଛି | ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୨ରୁ ୩ ବର୍ଷ ହେଲା ଏଠାରେ କିଛି ଆଲବମ ସୁଟିଂ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା ଓ ଯୁବପିଢ଼ି ସେଲଫି ନେବା ପାଇଁ ବ୍ଲୁ ଲେକକୁ ଧାଇଁଆସୁଛନ୍ତି | ୫ରୁ ୬ ଏକରରେ ପରିମିତ ଏହି ଅଞ୍ଚଳ ଏବେ ଉତ୍ତର ଓଡିଶାର ଲୋକଙ୍କ ପାଇଁ ସେଲଫି ପଏଣ୍ଟ ଭାବେ ଖ୍ୟାତ ହୋଇଛି |

ସୂଚନା ଥାଉ କି କିଛି ଦିନ ପୂର୍ବେ ଖୋର୍ଦ୍ଧାର ନୂଆ ସେଲଫି ପଏଣ୍ଟ ପାଲଟିଥିବା ତାପଙ୍ଗ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିଲା । ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ  କରୁଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ । ଲୋକଙ୍କ ଭିଡକୁ ଦେଖି ବିପଦ ଆଶଙ୍କାରେ ଏହା ଉପରେ କଟକଣା ଜାରି କରାଯାଇଥିଲା ।

ସମ୍ବନ୍ଧିତ ଖବର