‘ମଶାଣି ମଣିଷ’ବ୍ରଜ; ୨ ଶହରୁ ଅଧିକ କୋଭିଡ୍ ମୃତକଙ୍କୁ ସତ୍କାର କଲେଣି

ବାଲେଶ୍ବର: ଅରୁଣ କୁମାର କର ଓରଫ୍ ବ୍ରଜ ଭାଇ। ବୟସ ଆସି ୬୩ ହେଲାଣି। ଦେହରେ କରୋନା କିଟ୍ ନାହିଁ କି ହାତରେ ଗ୍ଲୋବ୍ସ ନାହିଁ। ପାଦେ ପାଦେ ବିପଦ, ତଥାପି ତାଙ୍କ ଆତ୍ମବିଶ୍ବାସ ଆଗରେ ସବୁ କିଛି ହାର୍ ମାନିଛି। ଖଣ୍ଡିଏ ଗାମୁଛା ପିନ୍ଧି ପୁଙ୍ଗୁଳା ଦେହରେ କୋଭିଡ୍ ମୃତଦେହ ସତ୍କାର କରୁଛନ୍ତି।

ବାଲେଶ୍ବର ସହରରେ ତାଙ୍କର ପରିଚୟ ହେଲା ମଣାଣି ମଣିଷ। ସତରେ ବ୍ରଜ ଏକ ନିଆରା ବ୍ୟକ୍ତିତ୍ବ। ମଣିଷପଣିଆର ଏକ ଶ୍ରଦ୍ଧାଶୀଳ ନାମ। କି ଖରା କି ବର୍ଷା, ମଶାଣି ହେଉଛି ତାଙ୍କର ବାସସ୍ଥାନ। ଶବଟିଏ ମଶାଣିକୁ ଆସିଲା ପରେ ଆଗ୍ରହର ସହ ସବୁ ଦାୟିତ୍ବ ତୁଲାଇ ନିଅନ୍ତି। ଗରିବ, ଧନୀ ସମସ୍ତେ ତାଙ୍କ ପାଖରେ ସମାନ। ସବୁଠୁ ବଡ଼ କଥା ହେଲା, କରୋନା ସମୟରେ ଯେଉଁଠି ପରିବାର ଲୋକେ ମୃତଦେହକୁ ଛୁଇଁବାକୁ ଭୟ କରୁଛନ୍ତି, ସେଠାରେ ମୃତଦେହକୁ ନିଜେ ଉଠାଇ ସତ୍କାର କରୁଛନ୍ତି।

୨୦୧୦ ମସିହାରେ ବାଲେଶ୍ବର ନୁଣିଆଯୋଡ଼ିରେ ଯେବେଠୁ ମୁକ୍ତିଦ୍ବାର ପ୍ରତିଷ୍ଠା ହେଲା, ସେବେଠୁ ବ୍ରଜଙ୍କ ସ୍ଥାୟୀ ଠିକଣା ପାଲଟିଛି ଶ୍ମଶାନ। ଆଜି ପର୍ଯ୍ୟନ୍ତ ସେ ପାଖାପାଖି ୧୧ ହଜାରରୁ ଅଧିକ ଶବ ସତ୍କାର କରିସାରିଲେଣି। ମୁକ୍ତିଦ୍ବାର ଉନ୍ନୟନ କମିଟି ପକ୍ଷରୁ ଶବ ସତ୍କାର ପାଇଁ ୨ ହଜାର ଟଙ୍କା ମୂଲ୍ୟ ରଖାଯାଇଥିବା ବେଳେ ଯିଏ ଯାହା ଦେଲେ ଗ୍ରହଣ କରାଯାଇଥାଏ। ଏମିତିକି ଲୋକଙ୍କ ଅବସ୍ଥାକୁ ଦେଖି ମାଗଣାରେ ମଧ୍ୟ ଶବ ସତ୍କାର କରାଯାଉଛି।

ବ୍ରଜ ଖାଲି ଶବ ସତ୍କାର କରନ୍ତିନି, କାଠ ସଜେଇବାଠୁ ନେଇ ଅସ୍ଥି ସଂରକ୍ଷଣ ପର୍ଯ୍ୟନ୍ତ, ସବୁ ଦାୟିତ୍ବ ଯତ୍ନ ସହକାରେ ତୁଲାଇଥାନ୍ତି। ମଶାଣିରେ ଅନେକ ଅଚିହ୍ନା ଶବ ମଧ୍ୟ ଦାହ ହୁଏ। ସମସ୍ତଙ୍କର ଅସ୍ଥିକୁ ସଂରକ୍ଷଣ କରି ସେ ରଖିଥାନ୍ତି। ଆଉ ବର୍ଷ ଶେଷରେ ଆହ୍ଲାବାଦର ପ୍ରୟାଗଠାରେ ଏହାକୁ ନେଇ ବିସର୍ଜନ କରିଆସନ୍ତି। ଏବେ ନୁଣିଆଯୋଡ଼ି ଶ୍ମଶାନରେ ସାଧାରଣ ଶବ ସତ୍କାର ବନ୍ଦ କରାଯାଇଥିବା ବେଳେ କେବଳ କୋଭିଡ୍ ମୃତଦେହ ସତ୍କାର କରାଯାଉଛି। ଗତବର୍ଷଠାରୁ ଆଜି ପର୍ଯ୍ୟନ୍ତ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ୨୪୦ରୁ ଅଧିକ କୋଭିଡ୍ ଶବ ସତ୍କାର କରିସାରିଲେଣି ବୋଲି ବ୍ରଜ କହିଛନ୍ତି। ଏହି କାମରେ ତାଙ୍କୁ ସହଯୋଗ କରିବା ପାଇଁ ପୌରପାଳିକା ପକ୍ଷରୁ ୪ ଜଣଙ୍କୁ ନିଯୁକ୍ତ କରାଯାଇଛି।

ବ୍ରଜଙ୍କ ଘର ଅରଡ଼ବଜାର ଅଞ୍ଚଳରେ। ପରିବାର କହିଲେ ପତ୍ନୀ ଓ ଦୁଇ ସନ୍ତାନ। ଯୁକ୍ତ ଦୁଇ ଯାଏ ପଢ଼ିଥିବା ବ୍ରଜ ଫଟୋଗ୍ରାଫି କରୁଥିଲେ। ଷ୍ଟେସନ୍ ଛକ ନିକଟରେ ତାଙ୍କର ଏକ ଫଟୋ ଷ୍ଟୁଡିଓ ବି ରହିଥିଲା। ବାଲେଶ୍ବରରେ ପ୍ରଥମ ଭିଡିଓ କ୍ୟାମେରା ବ୍ରଜଙ୍କର ହିଁ ଥିଲା। ଫଟୋଗ୍ରାଫି କରି ବହୁ ଅନୁଷ୍ଠାନ ତରଫରୁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ହେଲେ କିଛି କାରଣ ପାଇଁ ନିଜ ବୃତ୍ତିକୁ ଛାଡ଼ି ଏହି ରାସ୍ତାକୁ ଆପଣାଇ ନେଇଥିଲେ। ଆଉ ଆଜି ମଶାଣି ମଣିଷ ପାଲଟିଛନ୍ତି। ଶବ ସତ୍କାର କରି ମୋତେ ବହୁତ ଖୁସି ଲାଗେ। କେବେ ବି ଡର ଲାଗେନି। ଏହି ଶ୍ମଶାନ ମୋ ପାଇଁ ସବୁକିଛି। ମୃତ୍ୟୁଯାଏ ମୁଁ ଏହି କାମ କରିବି। ଯେତେବେଳେ ଶବକୁ ଦେଖିଦିଏ, ଦେହର ସବୁ କଷ୍ଟ ଭୁଲିଯାଏ ବୋଲି କହିଛନ୍ତି ବ୍ରଜ।

 

ସମ୍ବନ୍ଧିତ ଖବର