ବାଲେଶ୍ବର: ପ୍ରତାପପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଟିକା ପାଇଁ ଲାଂଚ କାରବାରର ଭିଡିଓ ଭାଇରାଲ୍‌

ବାଲେଶ୍ବର: କୋଭିଡ ଟିକା ପାଇଁ ଲାଂଚ କାରବାର । ମୋବାଇଲରୁ ମୋବାଇଲ ଘୂରି ବୁଲୁଛି କରୋନା ଟିକା ପାଇଁ ଲାଂଚ କାରବାରର ଭିଡିଓ । ବାଲେଶ୍ୱର ବାଲିଆପାଳ ବ୍ଲକ ପ୍ରତାପପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବା ପାଇଁ ଲାଂଚ ନିଆ ଯାଉଥିବା ଦେଖିବାକୁ ମିଳିଛି ।

ଜଣେ ଠିକା ସଂସ୍ଥାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଟଙ୍କା ନେଉଛନ୍ତି ଆଉ ଗୋଟିଏ କାଗଜରେ ମୋବାଇଲ ନମ୍ବର ଅଉ କାହା ନାମରେ ଟିକା ଦିଆଯିବ ବୋଲି ପଚାରି ଲେଖି ରଖୁଛନ୍ତି । ସରକାର ଅବଶ୍ୟକ ଟିକା ଯୋଗାଇ ପାରୁନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ଫଳରେ ଟିକା ନେବା ପାଇଁ ଡାକ୍ତରଖାନା ଆଗରେ ଲୋକଙ୍କ ଭିଡ ହେଉଛି ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ଅଧିକାରୀ । ଅର୍ଥ ଲୋଭରେ ପଡି ସରକାରଙ୍କ ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି । ଲୋକଙ୍କଠାରୁ ଅର୍ଥ ଶୋଷଣ କରୁଛନ୍ତି ।

ଯିଏ ଲାଂଚ ଦେବ ସିଏ ଟିକା ପାଇବ, ଯିଏ ଲାଂଚ ନ ଦେଇ ପାରିବ ସିଏ ଘଂଟା ଘଂଟା ଧରି ଧାଡିରେ ଠିଆ ହୋଇ ଟିକା ନପାଇ ଶେଷରେ ଘରକୁ ଫେରୁଥିବା ଅଭିଯୋଗ ହୋଇଛି । ସେପଟେ ଏ ସମ୍ପର୍କରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ନିଉଶ୍ରୀ ପାଣି କହିଛନ୍ତି, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

ସମ୍ବନ୍ଧିତ ଖବର