ଜଳେଶ୍ୱରରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ମହିଳାଙ୍କ ସମେତ ୩ ଗିରଫ

ଜଳେଶ୍ଵର: ପୁଣି ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତ୍ରିରେ ଜଳେଶ୍ୱର ସହରରେ ବ୍ରାଉନସୁଗାର ବିକ୍ରି କରାଯାଉଥିବା ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ  ୩୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଏଥିସହ ତିନି ଜଣଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ରହିଛି।

ଗିରଫ ମହିଳା ଏବଂ ତାଙ୍କ ସହଯୋଗୀ ଯୁବକଙ୍କ ଘର ଜଳେଶ୍ବର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଯୁବକଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତ୍ରିରେ ଜଳେଶ୍ଵରରୁ ବାଲେଶ୍ବରକୁ ବ୍ରାଉନସୁଗାର ଚାଲାଣ ସମୟରେ ଜଳେଶ୍ବର ପୁଲିସ ଚଢ଼ାଉ କରିଥିଲା। ଉଭୟ ଦୁଇ ବିକ୍ରେତା ଓ ଜଣେ କ୍ରେତାକୁ ଗିରଫ କରିଛି ପୁଲିସ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଜଳେଶ୍ବର ଅଞ୍ଚଳରୁ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ଜବତ  ୨.୪୦୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ବଜାର ଦର ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହେବ ବୋଲି କୁହାଯାଉଛି। ଘଟଣାରେ ଦୁଇ ମହିଳାଙ୍କ ସମେତ ୩ ଜଣକୁ ପୁଲିସ ଅଟକ ରଖି ଜେରା କରିଥିଲା। ଏଣେ ନଭେମ୍ବର ମାସରେ ଜଳେଶ୍ବର ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର