୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଯୁବକ ଗିରଫ
ଜଳେଶ୍ଵର: ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଜଳେଶ୍ୱର ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ରାଜଘାଟ ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର ପୁଲିସ ରାଜଘାଟ ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଏହି ଘଟଣାରେ ସିଂଲା ଥାନା ଅଞ୍ଚଳର ଜଣେ ଯୁବକକୁ ଅଟକ ରଖି ଜେରା କରୁଛି। ଜବତ ବ୍ରାଉନସୁଗାରର ପରିମାଣ କେତେ ତାହା ଜଣା ପଡ଼ିନଥିଲେ ମଧ୍ୟ ଏହାର ମୁଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।
ଏଣେ କିଛି ଦିନତଳେ ଜଳେଶ୍ୱର ସହରରେ ବ୍ରାଉନସୁଗାର ବିକ୍ରି କରାଯାଉଥିବା ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୩୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଏଥିସହ ତିନି ଜଣଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିଲେ।
ଗିରଫ ମହିଳା ଏବଂ ତାଙ୍କ ସହଯୋଗୀ ଯୁବକଙ୍କ ଘର ଜଳେଶ୍ବର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଯୁବକଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାପଡ଼ିଥିଲା। ଜଳେଶ୍ଵରରୁ ବାଲେଶ୍ବରକୁ ବ୍ରାଉନସୁଗାର ଚାଲାଣ ସମୟରେ ଜଳେଶ୍ବର ପୁଲିସ ଚଢ଼ାଉ କରିଥିଲା। ଉଭୟ ଦୁଇ ବିକ୍ରେତା ଓ ଜଣେ କ୍ରେତାକୁ ଗିରଫ କରିଥିଲା ପୁଲିସ।
ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ମାସରେ ଜଳେଶ୍ବର ଅଞ୍ଚଳରୁ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଥିଲା। ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ଜବତ ୨.୪୦୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ବଜାର ଦର ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହେବ ବୋଲି କୁହାଯାଉଛି। ଘଟଣାରେ ଦୁଇ ମହିଳାଙ୍କ ସମେତ ୩ ଜଣକୁ ପୁଲିସ ଅଟକ ରଖି ଜେରା କରିଥିଲା। ଏଣେ ନଭେମ୍ବର ମାସରେ ଜଳେଶ୍ବର ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିଲା।