ଜଳେଶ୍ୱର: ଇଣ୍ଡିଗୋ ସିଏସ୍‌ କାର୍‌ରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ; ୩ ଯୁବକ ଗିରଫ

ଜଳେଶ୍ୱର: ରବିବାର ପ୍ରତ୍ୟୁଷରେ ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ହୋଟେଲ୍‌ ମିର୍ଚି ନିକଟରେ ଗୋଟାଏ ଧଳା ଇଣ୍ଡିଗୋ ସିଏସ୍‌ କାର୍‌ରୁ ୧୨୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରାଯାଇଛି।

ଏଥିରେ ସମ୍ପୃକ୍ତ ଥିବା ଜଗତ୍‌ସିଂହପୁର ଏବଂ ଖୋର୍ଦ୍ଧା ଅଞ୍ଚଳର ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି।

କାର୍‌ଟି ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅନ୍ତର୍ଗତ ହଂସପାଳ ଅଞ୍ଚଳକୁ ଆସୁଥିଲା। ଏଥିରେ ବ୍ରାଉନ୍‌ସୁଗାର୍‌ ଆସୁଥିବା ସୂଚନା ପାଇ ଭୋର୍‌ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଓ ମୋବାଇଲ୍‌ସ୍କ୍ଵାର୍ଡ ହୋଟେଲ୍‌ ମିର୍ଚି ନିକଟରେ ସେ ଗାଡ଼ିକୁ ଅଟକାଇ ତଲାସ କରିଥିଲେ। ସେଥିରୁ ମିଳିଥିବା ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଓଆର୍‌୦୬ଜେ୮୮୬୬ ନମ୍ବରବିଶିଷ୍ଟ ସେ ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜଗତ୍‌ସିଂହପୁରର ୩୭ ବର୍ଷିୟ ଦିବ୍ୟାଙ୍ଗ ଶିବପ୍ରସାଦ ମହାନ୍ତି, ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳର ୨୧ ବର୍ଷିୟ ସୁବାସ ଭୋଇ ଏବଂ ୨୫ ବର୍ଷିୟ ଚନ୍ଦନ କୁମାର ଭୋଇ। ଏମାନଙ୍କ ଠାରୁ ୩ଟି ମୋବାଇ ଓ ନଗଦ ୨୮୨୦ ଟଙ୍କା ଜବତ୍‌ କରାଯାଇଛି।

ସମ୍ବନ୍ଧିତ ଖବର