ବାଲେଶ୍ୱର: ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ଡମ୍ଫର୍‌ ଟ୍ରକ୍‌-କାର୍‌ ଧକ୍କା ଯୋଗୁଁ ୪ ମୃତ; ୩ ଆହତ

ବାଲେଶ୍ୱର: ରବିବାର ରାତିରେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି କିଛି ଲୋକ ଏକ ମାରୁତି-୮୦୦ କାର୍‌ରେ ଫେରୁଥିବା ବେଳେ ବସ୍ତା ଥାନା ଅଞ୍ଚଳ ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକରେ ଗୋଟିଏ ଡମ୍ପର୍‌ ଟ୍ରକ୍‌ ଉପରେ ଧକ୍କା ଖାଇବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

ରାତି ୧: ୦୦ ରୁ ୨: ୦୦ ମଧ୍ୟରେ ଦୁର୍ଘଟଣା ଘଟିଛି।

ଅକାମି ହୋଇ ରାସ୍ତାରେ ଠିଆ ହୋଇଥିବା ଗୋଟାଏ ଡମ୍ପର୍‌ ଟ୍ରକ୍‌ ପଛରେ କାର୍‌ଟି ଖୁବ୍‌ ଯୋର୍‌ରେ ଧକ୍କା ଖାଇବାରୁ ଖାଗଡ଼ାପାଳ ଗାଁ’ର ସେ ଲୋକମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ବସ୍ତା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ବାକି ତିନି ଆହତଙ୍କର – (ଜଣେ ଅଢ଼େଇ ବର୍ଷର ଝିଅ, ୧୨ ବର୍ଷର ପୁଅ ଓ ଜଣେ ମହିଳା) ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ସ୍ୱାମୀ ପ୍ରତାପ ଚନ୍ଦ୍ର କାମିଳା, ୩୦ ବର୍ଷ, ପତ୍ନୀ କଳ୍ପନା କମିଳା, ୨୩ ବର୍ଷ, ଭିଣୋଇ ତପନ ରଣା, ୩୫ ବର୍ଷ, ସେମାନଙ୍କ ସାଙ୍ଗ ହୁରିଆ ପରିଡ଼ା, ୩୫ । ଭିଣୋଇ ତପନ କାର୍‌ ଚଳାଉଥିଲେ। ଆହତମାନେ ହେଲେ ମାନସ ପରିଡ଼ା, ପାର୍ବତୀ ପରିଡ଼ା ଓ ନାଁ ଜଣାପଡ଼ି ନ ଥିବା ଗୋଟିଏ ଅଢ଼େଇ ବର୍ଷର ଝିଅ।

ଆହତମାନେ ହେଲେ ପ୍ରତାପଙ୍କ ଝିଅ ଭାଗ୍ୟଶ୍ରୀ କାମିଳା, ୩ ବର୍ଷ, ସୂର୍ଯ୍ୟ ପରିଡ଼ାଙ୍କ ପୁଅ ସାଗର ପରିଡ଼ା, ୧୩ ବର୍ଷ। ସୂର୍ଯ୍ୟଙ୍କ ସ୍ତ୍ରୀ ପାର୍ବତୀ ପରିଡ଼ା, ୩୦ ବର୍ଷ।

ସମ୍ବନ୍ଧିତ ଖବର