ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଣିର ଗାର, ବା‌ଲେଶ୍ବରର ପ୍ରମୁଖ ଥାନାରେ କାମ କରୁନି ସିସିଟିଭି

ଦିନେ ଅଧେ ନୁହେଁ, ମାସ ମାସ, ବର୍ଷାଧିକ ଅଚଳ

ବାଲେଶ୍ବର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଓ ପୁରୀ ଜିଲ୍ଲା ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାର ଏବେ କାଠଗଡ଼ାରେ ଠିଆ ହୋଇଛନ୍ତି। ପୁଲିସର ଥାର୍ଡ ଡିଗ୍ରି ବିଶେଷ କରି ହାଜତ ନିର୍ଯାତନା, ମୃତ୍ୟୁ ରୋକିବା ଲାଗି ସୁପ୍ରିମକୋର୍ଟ ଯେଉଁ କେତେକ ପ୍ରକ୍ରିୟା ପାଳନ କରିବାକୁ ବାଧ୍ୟତାମୂଳକ କରିଛନ୍ତି, ତା’ ମଧ୍ୟରୁ ସିସିଟିଭି କ୍ୟାମେରା ଥିଲା ଅନ୍ୟତମ। କିନ୍ତୁ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପାଣିର ଗାର ହୋଇଛି। ପୁଲିସ କାର୍ଯ୍ୟକଳାପକୁ ଜଗିବା ପାଇଁ ଥାନାମାନଙ୍କରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା ରହିଥିଲେ ମଧ୍ୟ ଅନେକ ଥାନାରେ ଏଗୁଡ଼ିକ କାମ କରୁନି କିମ୍ବା ଜାଣିଶୁଣି ଏହାକୁ ଅଚଳ କରାଇ ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ପୁଲିସର ବେନିୟମ କାମକୁ ଘଣ୍ଟ ଘୋଡ଼ାଇବା ଲାଗି କେତେ ଯେ ଫନ୍ଦିଫିକର ହୁଏ, ତାହା ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଜଣା।
ବାଲେଶ୍ବର ଜିଲ୍ଲାରେ ବଳରାମଗଡ଼ି, କଷାଫଳ, ତାଳସାରୀରେ ୩ଟି ସାମୁଦ୍ରିକ ଥାନାକୁ ମିଶାଇ ମୋଟ୍‌ ୨୩ଟି ଥାନା ରହିଛି। ସେଥିମଧ୍ୟରୁ ବାଲେଶ୍ବର ସଦର ମହକୁମାରେ ରହିଛି ସଦର ଥାନା, ଶିଳ୍ପାଞ୍ଚଳ ଥାନା, ଟାଉନ୍‌ ଥାନା, ଟ୍ରାଫିକ ଥାନା ଓ ସହଦେବଖୁଣ୍ଟା ଥାନା। ଏହି ୫ଟି ଥାନା ମଧ୍ୟରୁ ସହଦେବଖୁଣ୍ଟା ଆଦର୍ଶ ଥାନାର ମାନ୍ୟତା ପାଇଥିବା ବେଳେ ଅନ୍ୟ ଥାନାଠାରୁ ଏହି ଥାନାକୁ ଅଧିକ ସୁବିଧା ସୁଯୋଗ ମିଳିଛି। ‌କିନ୍ତୁ ବାସ୍ତବତାଠାରୁ ବହୁ ଦୂରରେ ରହିଛି ଏହି ଥାନା। ସହରର ଅନେକ ସମ୍ବେଦନଶୀଳ ଘଟଣା ଏହି ଥାନା ଅଞ୍ଚଳରେ ଘଟୁଥିବାବେଳେ ଥାନା ଭିତରେ ଓ ବାହାରେ ୪ଟି ସିସିଟିଭି କ୍ୟାମେରା ଲାଗିଛି। ମାତ୍ର ଗତ ୪ ମାସ ହେଲା ସେଗୁଡ଼ିକ ଅଚଳ ଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ଅବଗତ କରିଥିବା କହିଛନ୍ତି। ସହରର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଥାନା ହେଉଛି ଶିଳ୍ପାଞ୍ଚଳ ଥାନା। ସେଠାରେ ବି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ। ଥାନା ଭିତରେ ଓ ବାହାରେ ୪ଟି କ୍ୟାମେରା ଲଗାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବି କାମ କରୁନାହିଁ। ମହାବାତ୍ୟା ଅମ୍ଫାନ୍‌ ପରଠୁ ଏହି ସିସିଟିଭି କ୍ୟାମେରାଗୁଡ଼ିକ ଅଚଳ ହୋଇଯାଇଛି। ଏ ବାବଦରେ ଜିଲ୍ଲା ପୁଲିସ ହେଡ୍‌କ୍ବାର୍ଟରକୁ ଅବଗତ କରାଯାଇଥିବା ଥାନା ଆଇଆଇସି ମୀନତି ବିଶ୍ବାଳ କହିଛନ୍ତି।
ଏହି ଦୁଇଟି ଥାନାକୁ ଛାଡି ଟ୍ରାଫିକ, ଟାଉନ୍‌ ଓ ସଦର ଥାନାରେ ଯଦିଓ ସିସିଟିଭି କ୍ୟାମେରା କାମ କରୁଛି, ତାହା କିନ୍ତୁ ସବୁବେଳେ ନୁହେଁ। ଯାହାକୁ ପୁଲିସର ପୁରୁଣା ଫଣ୍ଡା ବୋଲି କୁହାଯାଉଛି। ଅର୍ଥାତ କେତେବେଳେ କ୍ୟାମେରା ଚାଲିବ ଓ ବନ୍ଦ ହେବ, ତାର ନି‌ଷ୍ପତ୍ତି ବି ପୁଲିସ ନେବ। ଏସବୁ ଭିତରେ ସବୁଠୁ ସାଙ୍ଘାତିକ ସ୍ଥିତି ଦେଖିବାକୁ ମିଳିଛି ଚାନ୍ଦିପୁର ବଳରାମଗଡ଼ି ସାମୁଦ୍ରିକ ଥାନାରେ। ସମୁଦ୍ରପଥରେ ଆତଙ୍କବାଦୀ, ଅନୁପ୍ରବେଶ ଗତିବିଧି ଉପରେ ନଜର ରଖିବାକୁ ପ୍ରତିଷ୍ଠା ହୋଇଥିବା ଏହି ଥାନାରେ ବର୍ଷକ ତଳେ ଲାଗିଥିଲା ୪ଟି କ୍ୟାମେରା। ମାସେ ଚାଲିବା ପରେ ଥାନାର ସବୁତକ ସିସିଟିଭି ସେବେଠୁ ଆଜି ପର୍ଯ୍ୟନ୍ତ କାମ କରୁନଥିବା ଥାନା ଓଆଇସି ଗୋପାଳ ସିଂ କହିଛନ୍ତି। ଏମିତିକି ନିଜେ ଏସ୍‌ପି ପରିଦର୍ଶନରେ ଆସି ଏ କଥା ଦେଖି ଯାଇଥିବା ବେଳେ ବାରମ୍ବାର ଏ ବାବଦରେ କ୍ରାଇମ୍‌ ବୈଠକରେ ଏକାଧିକ ଥର ପୁଲିସ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତା ସତ୍ତ୍ବେ ସମସ୍ତେ ଚୁପ୍।
ପୁଲିସ ବିଭାଗରେ ସ୍ବଚ୍ଛତା, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର ଦେଖାଇବା, ହାଜତ ନିର୍ଯାତନା, ମୃତ୍ୟୁ ଭଳି ଅଘଟଣ ଆଦି ରୋକିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଥାନାରେ ସିସିଟିଭି କ୍ୟାମେରା ଲଗାଯିବା ପାଇଁ ନିୟମ କରାଯାଇଥିଲା। ମାତ୍ର ଅନେକ ସମୟରେ ଥାନା ପରିସରରେ ଘଟୁଥିବା ‌ବେଆଇନ କାର୍ଯ୍ୟର ପ୍ରମାଣ ନଷ୍ଟ ପାଇଁ ଖୋଦ ପୁଲିସ ଅଧିକାରୀ, କର୍ମଚାରୀମାନେ ସିସିଟିଭି ଫୁଟେଜ୍‌ ଡିଲିଟ୍ କରିଦେବାର ନଜିର ରହିଛି। ଏଥିପାଇଁ ୨୪ ଘଣ୍ଟା ସିସି କ୍ୟାମେରା ଖୋଲା ରଖିବା ସହିତ ସେଥିରେ କଏଦ ହେଉଥିବା କୌଣସି ପ୍ରକାର ଭିଡିଓ ଯେପରି ଟ୍ୟାମ୍ପରିଂ ନହୁଏ, ସେଥିଲାଗି ବିଭାଗୀୟ ସମୀକ୍ଷା ବୈଠକ‌ରେ ପୁଲିସ ଡିଜି ଅଭୟ ବରିଷ୍ଠ ଅଧିକାରୀ ଏବଂ ପ୍ରତ୍ୟେକ ଜିଲ୍ଲାର ଏସ୍‌ପିମାନଙ୍କୁ କଡ଼ା ନିର୍ଦେଶ ଦେଇଥିଲେ। ହେଲେ ବାଲେଶ୍ବର ଜିଲ୍ଲାର ସଦର ମହକୁମାରେ ଥିବା ଏହି ପ୍ରମୁଖ ଥାନାଗୁଡ଼ିକର ସ୍ଥିତି ଯଦି ଏମିତି, ତେବେ ଗ୍ରାମାଞ୍ଚଳରେ ଥାନାଗୁଡ଼ିକ କିପରି ଚାଲିଥିବା ତାହା ସହ‌ଜରେ ଅନୁମେୟ। ଏ ସଂପର୍କରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ସୁଇଚ୍‌ଅଫ୍‌ ଥିଲା।

ସମ୍ବନ୍ଧିତ ଖବର