ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱରରେ ସାଇକ୍ଲୋଥୋନ

ବାଲେଶ୍ୱର: ଅଗଷ୍ଟ ୨୯ ତାରିଖ, ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ। ଏହି ଅବସରରେ ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ। ଏହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆୟୋଜିତ ହୋଇଥିଲା ସାଇକ୍ଲୋଥୋନ। ଅନୁରୂପ ଭାବେ ମଞ୍ଚ ପକ୍ଷରୁ ବାଲେଶ୍ୱର ସହରର ମିଶନ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥୋନକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଇକେଲ ଆରୋହୀ ଓ ମାରୱାଡ଼ି ଯୁବାମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ।

ସୁସ୍ଥ ଓ ନିରୋଗ ରହିବା ପାଇଁ କ୍ରୀଡ଼ା ଅଭ୍ୟାସ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ମାରୱାଡ଼ି ଯୁବା ମଞ୍ଚର ପ୍ରୟାସ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ କହିଥିଲେ। ଯୁବାବର୍ଗଙ୍କୁ ଦକ୍ଷତା ସମ୍ପନ୍ନ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବା ବେଳେ ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି। ଆଗାମୀ ଦିନରେ ବାଲେଶ୍ଵରରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ଇନଡୋର ଷ୍ଟାଡିୟମ ନିର୍ମାଣ ସହ ବିଭିନ୍ନ ଖେଳ ପଡ଼ିଆର ଉନ୍ନତି କରାଯାଉଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୁଚନା ଦେଇଥିଲେ।

ଏହି ସାଇକ୍ଲୋଥୋନ ମିଶନ ପଡିଆରୁ ବାହାରି ସହର ପରିକ୍ରମା ସହ ଜ୍ୟୋତି ହସପିଟାଲ ନିକଟରୁ ଫେରି ପୁଣି ମିସନୀ ପଡ଼ିଆରେ ପହଞ୍ଚିଥିଲା। ପରେ ସାଇକ୍ଲୋଥୋନର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା। ମାରୱାଡ଼ି ଯୁବା ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ରୋଟାରୀ କ୍ଲବର କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର