ବାହାନଗା: ଗରିବ ଲୋକଙ୍କୁ ଘର ଯୋଗାଇଦେବା ନାମରେ ଲୁଟ୍ କରିବାକୁ ନକଲି ବିଡିଓ ସହଯୋଗୀ ଧରି ଗାଁଗାଁରେ ବୁଲୁଛନ୍ତି। ଘର ପାଇବାକୁ ହେଲେ ଟଙ୍କା ନ ହେଲେ ସୁନା ଗହଣା ଦେବାକୁ କହୁଛନ୍ତି। ପୁଣି ଘରେ ଗୃହସ୍ବାମୀ ନଥିବା ବେଳେ ମହିଳାଙ୍କୁ ଟାର୍ଗେଟ୍ କରୁଛନ୍ତି ନକଲି ବିଡିଓ। ତାଙ୍କ କଥାରେ ଭଳିଯାଇ ମହିଳାମାନେ ଟଙ୍କାସୁନା ଦେବାପରେ ନେଇ ଚମ୍ପଟ ମାରୁଛନ୍ତି। ଘଟଣାକୁ ନେଇ ଅସଲି ବିଡିଓ ମଧ୍ୟ ଚିନ୍ତାରେ ଥିବା ପରିଲକ୍ଷିତ ହେଉଛି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍ରେ ଦେଖିବାକୁ ମିଳିଛି। ଟଙ୍କା ଓ ସୁନା ଗହଣା ହରାଇଥିବା ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ବାହାନଗା ବ୍ଲକ୍ ଖନ୍ତାପଡ଼ା ଥାନା ଅଧୀନ ଓଳିଆପାଟଣା ଗ୍ରାମର ମୁକ୍ତିକାନ୍ତ ବାରିକ ବୁଧବାର ମଧ୍ୟାହ୍ନରେ ଘରେ ନଥିବା ବେଳେ ଦୁଇ ଠକ ତାଙ୍କ ଘରେ ବାଇକ୍ରେ ପହଞ୍ଚିଥିଲେ। ସେମାନେ ନିଜକୁ ବାହାନଗା ବ୍ଲକ୍ ବିଡିଓ ଓ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ବିଜୁ ପକ୍କା ଘର ଆସିଛି କହି ବ୍ୟାଙ୍କ ପାସ୍ବହି ଓ ଆଧାର କାର୍ଡ ମାଗିଥିଲେ। ଏହାପରେ ପକ୍କାଘର ନେବାକୁ ୫ ହଜାର ଟଙ୍କା ଦରକାର ବୋଲି କହିଥିଲେ। ମୁକ୍ତିକାନ୍ତଙ୍କ ସ୍ତ୍ରୀ ୩ ହଜାର ଟଙ୍କା ଦେବାପରେ ଆଉ ଟଙ୍କା ନାହିଁ ବୋଲି କହିଥିଲେ। ତେଣୁ ଠକଦ୍ବୟ ତାଙ୍କୁ ସୁନାଗହଣା ଦେବାକୁ କହିଥିଲେ। ପୁଣି ତାଙ୍କ ପାଇଁ ସ୍ବତନ୍ତ୍ର ସ୍କିମ୍ରେ ପକ୍କାଘର ହେଉଥିବାରୁ ଅନ୍ୟ କାହାକୁ ନ ଜଣାଇବାକୁ ତାଗିଦ୍ କରିଥିଲେ। ଏଥିରେ ଭଳିଯାଇ ମୁକ୍ତିକାନ୍ତଙ୍କ ପତ୍ନୀ ସୁନା ମଙ୍ଗଳସୂତ୍ର ଦେଇଥିଲେ। ଟଙ୍କା ଓ ଗହଣା ନେବାପରେ ଦୁଇ ଠକ ତାଙ୍କୁ ତୁରନ୍ତ ବ୍ଲକ୍ ଆସିବାକୁ କହି ବାଇକ୍ରେ ପଳାଇଥିଲେ। ସେମାନେ ଯିବାପରେ ମୁକ୍ତିକାନ୍ତ ଘରେ ପହଞ୍ଚିଥିଲେ। ପତ୍ନୀଙ୍କ ଠାରୁ ସବୁ ଶୁଣି ସଙ୍ଗେସଙ୍ଗେ ଉଭୟେ ବ୍ଲକ୍ ଆସି ଯୋଗାଯୋଗ କରିଥିଲେ। ସେଠାରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଅପରାହ୍ନରେ ଖନ୍ତାପଡ଼ା ଥାନାରେ ଘଟଣା ବାବଦରେ ଲିଖିତ ଅଭିଯୋଗ କରିଥିଲେ। ଏ ବାବଦରେ ଜାଣିବାକୁ ପାଇ ବିଡିଓ ରବିନାରାୟଣ ତ୍ରିପାଠୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଦୁର୍ବୃତ୍ତମାନଙ୍କର ଗୋଟିଏ ରାକେଟ୍ ଚାଲିଛି ଓ ଏଥିରେ ବ୍ଲକ୍ର କୌଣସି କର୍ମଚାରୀ ସମ୍ପୃକ୍ତ ଥାଇପାରନ୍ତି ବୋଲି ସେ ସନ୍ଦେହ ପ୍ରକଟ କରିଛନ୍ତି। ଏହାର ତଦନ୍ତ କରାଯାଇ ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ଓ ଜନସାଧାରଣ ଏଭଳି ଠକଙ୍କ ପ୍ରତି ସଚେତନ ରହିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି।
ବିଡିଓ ପରିଚୟ ଦେଇ ଟଙ୍କା, ଗହଣା ଲୁଟ୍
/sambad/media/post_attachments/wp-content/uploads/2019/06/gold-snatcher.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)