ସୋର : ସୋର ପୌରାଞ୍ଚଳ ରାଇପୁର ସ୍ଥିତ ବାଙ୍କବିହାରୀ ଆଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ନେଇ ଆଶ୍ରମର ପରିଚାଳକ ଏକ ପ୍ରକାର ବ୍ୟବସାୟ ଚଳାଉଥିବା ଅଭିଯୋଗ ହେଉଛି। ଅନ୍ତେବାସୀମାନଙ୍କୁ ନେଇ ଏକ ସଂକୀର୍ତ୍ତନ ସଂସ୍ଥା ଖୋଲି ମଲେମାଲ ହେଉଛନ୍ତି ଆଶ୍ରମର ମାଲିକ।

Advertisment

publive-image

ଅଭିଯୋଗ ଅନୁସାରେ ସୋର ପୌରାଞ୍ଚଳ ରାଇପୁର ଅନ୍ନପୂର୍ଣ୍ଣା ରାଇସ ମିଲ କଲୋନୀରେ ବାଙ୍କ ବିହାରୀ ଆଶ୍ରମ ନାମରେ ଏକ ଆଶ୍ରମ ଦୀର୍ଘ ଦିନ ଧରି ଚାଲୁଛି,ଯାହାର ମୁଖ୍ୟ ପରିଚାଳକ (ମାଲିକ) ତ୍ରୈଲୋକ୍ୟ ଦାଶ ଅଟନ୍ତି। ଏହି ଆଶ୍ରମରେ ବିଭିନ୍ନ ଅଞ୍ଚଳର ୮ ବର୍ଷରୁ ଆରମ୍ଭ କରି ୧୫ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୨୫ରୁ ଅଧିକ ଉଭୟ ଝିଅ ଓ ପୁଅ ଅନ୍ତେବାସୀମାନେ ରହୁଛନ୍ତି। ଅନ୍ତେବାସୀମାନେ ଏହି ଆଶ୍ରମରେ ରହୁଥିବା ବେଳେ ସୋର ଗାନ୍ଧୀ ପୁରୁବାଇ ସ୍କୁଲ ଓ କମରପୁର ସ୍କୁଲରେ ପାଠ ପଢ଼ନ୍ତି। କିନ୍ତୁ ପିଲାମାନଙ୍କର ଭବିଷ୍ୟତକୁ ଖାତିର ନକରି ପାଠ ପଢାକୁ ଗୁରୁତ୍ୱ ଦିଆନଯାଇ ଆଶ୍ରମରେ ରହୁଥିବା ଏହି ଅନ୍ତେବାସୀମାନଙ୍କୁ ନେଇ ଆଶ୍ରମର ମାଲିକ ଏକ ସଂକୀର୍ତ୍ତନ ସଂସ୍ଥା ଖୋଲିଛନ୍ତି। ଗୋଟିଏ ସ୍ଥାନକୁ ସଂକୀର୍ତ୍ତନ କରିବାକୁ ଗଲେ ୧୦ରୁ ୧୫ ହଜାର ଟଙ୍କା ଆଣନ୍ତି। ସଂକୀର୍ତ୍ତନ ସଂସ୍ଥାରେ ଅନ୍ତେବାସୀମାନଙ୍କୁ ବିଭିନ୍ନ ସ୍ଥାନରେ ନାଚ ଗୀତରେ ଲଗାଇ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଆଶ୍ରମର ମାଲିକ ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି।

ଏହାଛଡା ଅନ୍ତେବାସୀଙ୍କ ମଧ୍ୟରୁ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ପାଇଖାନା ସଫା ସମେତ ଅନ୍ୟ କାର୍ଯ୍ୟରେ ନିୟୋଜିତ ମଧ୍ୟ କରାଉଥିବା ଜଣାପଡିଛି। ଏ ବାବଦରେ ସ୍ଥାନୀୟ ବାସିନ୍ଦାମାନେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆଶ୍ରମ ଉପରେ ହୋଇନାହିଁ।ଅନ୍ତେବାସୀ ମାନେ ଏଠାରେ ଅବହେଳିତ ଓ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା କଥା ଜାଣିପାରି କିଛିଦିନ ତଳେ ଖଇରା ଚାଇଲଡ଼ ଲାଇନର ସଦସ୍ୟ ପଞ୍ଚାନନ ତ୍ରିପାଠୀ, ତପସ୍ୱିନୀ ରାଉତଙ୍କ ସମେତ ବାଲେଶ୍ୱର ଶିଶୁ ସୁରକ୍ଷା ୟୁନିଟର ସଦସ୍ୟମାନେ ଆସି ଘଟଣା ବାବଦରେ ଅବଗତ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ପିଲାମାନଙ୍କୁ ଏଠାରୁ ଉଦ୍ଧାର କରାଯାଇ ନାହିଁ। ଏ ବାବଦରେ ଆଶ୍ରମର ମୁଖ୍ୟ ପରିଚାଳକଙ୍କ ମତାମତ ନେବାରୁ ସେ ପିଲାମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଓ ବାଦ୍ୟଯନ୍ତ୍ର ଶିକ୍ଷା ଦେବା ସହିତ ସଂକୀର୍ତ୍ତନରେ ପିଲାମାନେ କଳାପରିବେଷଣ କରୁଥିବା କହିଥିଲେ ଏବଂ ହେଉଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ। ଏଣୁ ଯଥାଶୀଘ୍ର ବିଭାଗୀୟ ଅଧିକାରୀମାନେ ଏହି ଆଶ୍ରମରେ ତଦନ୍ତ କରି ଅନ୍ତେବାସୀମାନଙ୍କୁ ଏଠାରୁ ଉଦ୍ଧାର କରିବା ସହିତ ଆଶ୍ରମ ଉପରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ‌ା ପାଇଁ ଦାବି ହୋଇଛି।