ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ାରେ ଅବସ୍ଥିତ ଏକ ଯାନ୍ତ୍ରିକ କୃଷି ଉପକରଣ ସୋ-ରୁମ୍‌ରେ ଧାନକଟା ମେସିନ୍‌ ବିକ୍ରୟକୁ କେନ୍ଦ୍ରକରି ବିବାଦ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ମାସରେ ଉକ୍ତ ସୋ-ରୁମରୁ ଜଣେ କ୍ରେତା ଏକ ଧାନକଟା ମେସିନ୍‌ କିଣିବା ପାଇଁ ଅଗ୍ରୀମ ଟଙ୍କା ଜମା କରିଥିଲେ। ତେବେ ସେତେବେଳେ ସୋ-ରୁମ୍‌ରେ ଧାନକଟା ମେସିନ୍‌ ଉପଲବ୍ଧ ଥିଲେ ମଧ୍ୟ କ୍ରେତା ଜଣକ ନେଇନଥିଲେ। ପରେ ତାଙ୍କ ସହ ସୋ-ରୁମ୍‌ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ବି ସେ ଉକ୍ତ ମେସିନ୍‌ ପରେ ନେବେ କହି ଆସିନଥିଲେ।

Advertisment

ଅନ୍ୟପକ୍ଷରେ ଏବେ ଉକ୍ତ ସୋ-ରୁମ୍‌ରେ ସେହି ମେସିନ୍‌ ଉପଲବ୍ଧ ନଥିବାବେଳେ ସମ୍ପୃକ୍ତ ‌କ୍ରେତାଜଣକ ନେବା ପାଇଁ ଚାହିଁବାରୁ ପରବର୍ତ୍ତୀ ସମୟରେ ଉପଲବ୍ଧ ହେଲେ ଦିଆଯିବ ବୋଲି ସୋ-ରୁମ୍‌ ପକ୍ଷରୁ ତାଙ୍କୁ କୁହାଯାଇଥିଲା। ତେବେ ଉକ୍ତ ସୋ-ରୁମଟି ରେମୁଣା ବିଧାୟକଙ୍କ ସାନଭାଇଙ୍କ ଦ୍ବାରା ପରିଚାଳିତ ହେଉଥିବା ଯୋଗୁଁ ବିଧାୟକଙ୍କ ବିରୋଧୀମାନେ ବୁକ୍‌ କରିଥିବା ଉକ୍ତ କ୍ରେତାଙ୍କ ତରଫରୁ ଏହାକୁ ବିବା‌ଦୀୟ ରୂପ ଦେବାକୁ ଚେଷ୍ଟା କରିଥିଲେ।

ଏପରିକି ଗତ ୨୯ ତାରିଖ ଦିନ ବିରୋଧୀଗୋଷ୍ଠୀ ୩୦ରୁ ୪୦ ଜଣ ଯୁବକଙ୍କୁ ଧରି ସେଠାକୁ ଯାଇ ତୁରନ୍ତ ସେହି ଧାନକଟା‌ ମେସିନ୍‌ ଉକ୍ତ କ୍ରେତାଙ୍କୁ ଦିଆଯାଉ ବୋଲି ଅଡ଼ି ବସିଥିଲେ। ବିଧା‌ୟକଙ୍କ ଭାଇ ସେନେଇ ଅକ୍ଷମତା ପ୍ରକାଶ କରିବା ସହ ପରେ ଷ୍ଟକ ଆସିଲେ ଦିଆଯିବ ବୋଲି କହିବାରୁ ସେମାନେ ହଠାତ୍‌ ସୋରୁମ୍‌ ସଟର ବନ୍ଦ କରି ପାଟିତୁଣ୍ଡ କରିଥିଲେ। ଏନେଇ ବିଧାୟକଙ୍କୁ ତାଙ୍କ ସାନଭାଇ ଖବର ଦେବା ପରେ ସେ ପରଦିନ ଉକ୍ତ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କୁ ଫୋନ୍‌ କରି ତାଙ୍କୁ ତାଗିଦ କରିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ସଦର ଥାନା ପୁଲିସକୁ ପଚରାଯିବାରୁ ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ଆସିନଥିବା କୁହାଯାଇଛି।