ବାଲେଶ୍ବର : ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ମଙ୍ଗଳବାର ହେବ ଭୋଟଗଣତି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ୩୪୬ଟି ବୁଥ୍ରୁ ଭୋଟସଂଗ୍ରହ କରାଯାଇଥିବା ବେଳେ ଏହାର ଗଣତି ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ୍ରୁମ୍ରେ ଭୋଟ ଗଣନା କରାଯିବ। ୨ଟି କାଉଣ୍ଟିଂ ହଲରେ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଏବଂ ପରେ ଇଭିଏମ୍ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ପାଇଁ ୧୦୦ ଜଣ କର୍ମଚାରୀ ରହିବେ।
ଆଇନ୍ ଶୃଙ୍ଖଳା ପରିସ୍ଥିତି ଏବଂ ସୁରକ୍ଷା ଦୃଷ୍ଟିରୁ ଗଣତି କେନ୍ଦ୍ରକୁ ତ୍ରିସ୍ତରୀୟ ସୁରକ୍ଷାରେ ରଖାଯାଇଛି। ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ମୁତୟନ କରାଯାଇଥିବା ବେଳେ ବାହାରେ ରାଜ୍ୟ ସଶସ୍ତ୍ର ସୁରକ୍ଷା ବଳ ଏବଂ ଜିଲ୍ଲା ପୁଲିସ ବାହିନୀ ମୁତୟନ ରହିବେ। ଏଥିପାଇଁ ୭ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୪ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୨୦ ଜଣ ଏସ୍ଆଇ ଓ ଏଏସ୍ଆଇ ଆଲର୍ଟ ରହିଛନ୍ତି।
ସକାଳ ୬ଟାରେ ଗଣତି କେନ୍ଦ୍ରକୁ କାଉଣ୍ଟିଂ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ପ୍ରବେଶ ପାଇଁ ଛଡ଼ାଯିବ। ପ୍ରବେଶ ଦ୍ବାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍ କରାଯିବ। ପ୍ରତି ରାଉଣ୍ଡ ଅନୁସାରେ ଫଳାଫଳ ସଂପର୍କରେ ସୂଚନା ଦିଆଯିବ। ଏହାବାଦ କୋଭିଡ ଗାଇଡଲାଇନ୍ ମାନି ଭୋଟ ଗଣତି ହେବ। ସାମାଜିକ ଦୂରତା, ମାସ୍କ, ଫେସ ସିଲ୍ଡ,ସାନିଟାଇଜର,ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ଆଦି ରହିବ। ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ ଏବଂ ଭିତରକୁ କ୍ୟାମେରା ବ୍ୟତୀତ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦିଆଯାଇଛି। ଏହା ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାରିପାଖ ରାସ୍ତାକୁ ଆସନ୍ତାକାଲି ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ଫକୀରମୋହନ ଗୋଲେଇ, ଫାଣ୍ଡିଛକ, ଟେକ୍ନିକାଲ ସ୍କୁଲ, ଝାଡ଼େଶ୍ବର ମନ୍ଦିର ରହିଥିବା ସମସ୍ତ ପ୍ରବେଶପଥକୁ ବ୍ୟାରିକେଡ୍ ଦ୍ବାରା ବନ୍ଦ କରାଯାଇଛି। ଉକ୍ତ ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀ ମୁତୟନ ରହିବେ।
ନିର୍ବାଚନ ଫଳାଫଳକୁ ଦଳୀୟ ନେତା, ପ୍ରାର୍ଥୀ ଏବଂ କର୍ମୀଙ୍କ ମହଲରେ ଉତ୍କଣ୍ଠା ଦେଖିବାକୁ ମିଳିଛି। କିଏ ଜିତିବ କିଏ ହାରିବ ଏବଂ କାହା ପଲାରେ କେତେ ଭୋଟ ପଡ଼ିଛି ତାକୁ ନେଇ ଜୋରଦାର ଅଙ୍କକଷା ଆରମ୍ଭ ହୋଇଛି। ସେପଟେ ନିର୍ବାଚନ ଫଳାଫଳ ପ୍ରାର୍ଥୀମାନଙ୍କ ସପକ୍ଷରେ ଆସିବା ଆଶା ନେଇ କିଛିକିଛି ସ୍ଥାନରେ ମାନସିକ ଏବଂ ପୂଜାପାଠ ଆରମ୍ଭ ହୋଇଥିବା ମଧ୍ୟ ନଜରକୁ ଆସିଛି। ତେବେ ଆସନ୍ତାକାଲି ଫଳାଫଳ ଘୋଷଣା ପରେ ଏ ସବୁର ଅନ୍ତ ଘଟିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/evm-fa.jpg)