ବସ୍ତା-୨: ଝିଅ ଆଜି ବି ଆମ ସମାଜରେ ଅଲୋଡ଼ା। ପୁଅ ଜନ୍ମ ପାଇଁ ବାପାମାଆ ମାନସିକ କରନ୍ତି। ହେଲେ ଝିଅ ଜନ୍ମ ପାଇଁ ମାନସିକ କରିବା ବହୁତ୍ କମ୍। ସେମିତି ଜଣେ ଦମ୍ପତି ଝିଅ ପାଇଁ ବାବା ଗଣେଶଙ୍କ ନିକଟରେ ମାନସିକ କରିଥିଲେ। ଆଉ ପୂରଣ ହେବାରୁ ମାନସିକ ଅନୁସାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମନ୍ଦିର ତୋଳାଇଛନ୍ତି।
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଇଡ଼ିଦା ପଞ୍ଚାୟତ ରାଜୁଆପଡ଼ା ଗ୍ରାମରେ ରହନ୍ତି ଅଶ୍ୱିନୀ କୁମାର ପଣ୍ଡା ଓ ପତ୍ନୀ ଅଞ୍ଜନା ପଣ୍ଡା। ଅଶ୍ୱିନୀ ଜଣେ ଇଞ୍ଜିନିୟର। ଏହି ଦମ୍ପତିଙ୍କର ପ୍ରଥମେ ପୁଅ ଜନ୍ମ ହୋଇଛନ୍ତି। ସେମାନେ ଚାହୁଁଥିଲେ ଦ୍ୱିତୀୟ ସନ୍ତାନ ଝିଅ ହେଉ। ଏଥିପାଇଁ ଉଭୟ ୨୦୨୦ ମସିହା ଡିସେମ୍ବର ମାସ ରାହାସ ପୂର୍ଣ୍ଣିମାରେ ବାବା ଗଣେଶଙ୍କ ନିକଟରେ ମାନସିକ କରିଥିଲେ। କହିଥିଲେ, ଝିଅ ଜନ୍ମ ହେଲେ ଗାଁ’ରେ ଏକ ଗଣେଶ ମନ୍ଦିର ନିର୍ମାଣ କରାଇବେ।
୨୦୨୧ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଜନ୍ମ ହୋଇଥିଲା ଗୋଟିଏ ଝିଅ। ଫଳରେ ମାନସିକ ଅନୁସାରେ ପଣ୍ଡା ଦମ୍ପତି ସେହି ବର୍ଷ ଗାଁ’ରେ ମନ୍ଦିର ନିର୍ମାଣ କାମ ଆରମ୍ଭ କରାଇଥିଲେ। ୪୫ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ମନ୍ଦିରଟି ସଂପୂର୍ଣ୍ଣ ହେବା ସହ ଗତ ୧୮ ତାରିଖ ଦିନ ପ୍ରତିଷ୍ଠା ହୋଇଛି। ମନ୍ଦିରରେ ରାଜସ୍ଥାନର ହଳଦିଆ ରଙ୍ଗ ପଥରରେ ନିର୍ମିତ ବାବା ଗଣେଶ ଏବଂ ପାର୍ଶ୍ବ ଦେବଦେବୀ ପୂଜା ପାଉଛନ୍ତି। ଏନେଇ ଶ୍ରୀ ପଣ୍ଡାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଝିଅମାନେ ଘରର ଲକ୍ଷ୍ମୀ। ସେମାନେ ପୁଅଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ଘରର ଗୋଟିଏ ପୁଅ ଯେତିକି ଆଦର ପାଏ, ଝିଅ ବି ସେତିକି ଆଦର ପାଇବାକୁ ହକ୍ଦାର। ତେଣୁ କୌଣସି ପରିବାର କେବଳ ପୁଅ ଜନ୍ମ ଆଶା କରିବା ଉଚିତ ନୁହେଁ। କନ୍ୟାଭୃଣ ହତ୍ୟା ଭଳି ମହାପାପ କରିବା ଆଗରୁ ତ ହଜାରେ ଥର ଭାବିବା ଦରକାର।