କାଗଜକଲମରେ ଚାଲିଛି ଶହ ଶହ ହେକ୍ଟର ଚାଷ
ନକଲି ବିହନ, ପ୍ଲାଣ୍ଟ ଓ କାଗଜପତ୍ର ସଜାଡ଼ିବାକୁ ଜୋର୍ଦାର ପ୍ରୟାସ
ତଦନ୍ତ ପାଇଁ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ
ବାଲେଶ୍ୱର: ଓଡ଼ିଶା ବିହନ ନିଗମ ବାଲେଶ୍ୱର ଆଞ୍ଚଳିକ ଶାଖାରେ ମହାଦୁର୍ନୀତି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ଚଢ଼ଉ ଭୟରେ ରାଜଘାଟରେ ଥିବା ଘରୋଇ ପ୍ଲାଣ୍ଟରେ ସରକାରୀ ବସ୍ତାରେ ଜମା ହୋଇ ରହିଥିବା ନକଲି ବିହନକୁ କିପରି ଶୀଘ୍ର ହଟାଯିବ ତା’କୁ ନେଇ ତତ୍ପରତା ପ୍ରକାଶ ପାଇଥିବାବେଳେ ବହିନ ନିଗମର ଶାଖା କାର୍ଯ୍ୟାଳୟରେ କାଗଜପତ୍ର ସଜାଡ଼ିବାକୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଏହି ମହାଦୁର୍ନୀତିର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଆଜି ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଜିଲ୍ଲା କୃଷି ଉପନିର୍ଦେଶକଙ୍କୁ ନିର୍ଦେଶ ଦେଇଥିବାରୁ ଅସାଧୁ ଅଧିକାରୀ ଓ ନକଲି ବହିନ ଚାଷୀଙ୍କ ମଧ୍ୟରେ ଛନକା ପଶି ଯାଇଛି।
ଏପଟେ ନିଗମର ଅସାଧୁ ଅଧିକାରୀ ଓ ଘରୋଇ ପ୍ଲାଣ୍ଟ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ କିିପରି ଯୋଜନାବଦ୍ଧ ଭାବେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଚଳୁ କରାଯାଉଛି, ‘ସମ୍ବାଦ’ର ସ୍ୱତନ୍ତ୍ର ଅନୁସନ୍ଧାନବେଳେ ତାହା ପଦାକୁ ଆସିଛି। ରାଜଘାଟରେ ନିଗମ ଦ୍ୱାରା ଭଡ଼ାରେ ନିଆଯାଇଥିବା ଗୋଦାମରେ ‘ଓଡ଼ିଶା ସିଡ୍ସ’ ନାମକ ଘରୋଇ ପ୍ଲାଣ୍ଟ୍ ବସାଇ ଖୋଲାବଜାରରୁ ବିହନ ସଂଗ୍ରହ କରି ପ୍ରସେସିଂ ଓ ପରେ ସେଗୁଡ଼ିକୁ ସରକାରୀ ବସ୍ତାରେ ପ୍ୟାକେଟ୍ କରୁଥିବା ଲକ୍ଷ୍ମୀଧର ନାୟକଙ୍କୁ ନିଗମ କର୍ତ୍ତୃପକ୍ଷ ଅସାଧୁ ଉପାୟରେ ଅନୁକମ୍ପା ଦେଖାଇଥିବା ଜଣାପଡ଼ିଛି। ଲକ୍ଷ୍ମୀଧରଙ୍କ ଘର ବାଲିଆପାଳ ଲଙ୍ଗଳେଶ୍ୱର ଅଞ୍ଚଳରେ। ତାଙ୍କର ୫୮ଡେସିମିଲ ଚାଷଜମି ରହିଥିବା ବେଳେ ନିଗମ ତାଙ୍କୁ ଗ୍ରୋୟର(ବିହନ ଚାଷୀ) ଭାବେ ବିବେଚିତ କରି ଚଳିତ ଖରିଫ୍ ଋତୁରେ ୧୫୦ କ୍ୟୁଣ୍ଟାଲ ଏଫ୍-୧ ବିହନ ପ୍ରଡକ୍ସନ ପ୍ରୋଗ୍ରାମ୍ ପାଇଁ ପ୍ରଦାନ କରିଥିଲା। ହେଲେ ଲକ୍ଷ୍ମୀଧର ଉକ୍ତ ବିହନ ନେଇ ଆଦୌ ଚାଷ କରିନଥିବା କୁହାଯାଇଛି। ନିଗମର କେଳେଙ୍କାରୀ ଖବର ପ୍ରକାଶ ପାଇବା ପରେ ଉକ୍ତ ଅଞ୍ଚଳର ଚାଷୀ ଲକ୍ଷ୍ମୀଧରଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ କରିଛନ୍ତି। ସେ ଇଣ୍ଟରନେଟ୍ରେ ଉପଲବ୍ଧ ବିଭିନ୍ନ ଚାଷୀଙ୍କ ପଟ୍ଟା ଡାଉନଲୋଡ୍ କରିବା ପରେ ଏସବୁ ଜମି ଲିଜ୍ ନେଇଛନ୍ତି ବୋଲି ଦର୍ଶାଇ ନିଗମର କିଛି ଅଧିକାରୀଙ୍କ ସହାୟତାରେ ଟନ୍ ଟନ୍ ବିହନ ହାତେଇଥିବା କୁହାଯାଉଛି। ଯଦି ଲକ୍ଷ୍ମୀଧର ଲିଜ୍ ଆକାରରେ ଅନ୍ୟମାନଙ୍କଠାରୁ ଜମି ଲିଜ୍ ନେଇଛନ୍ତି, ତା’ହେଲେ କାହା ଠାରୁ ନେଇଥିଲେ ଓ ସେନେଇ ନିଗମରେ ଯେଉଁ କାଗଜପତ୍ର ଦାଖଲ କରିଛନ୍ତି ତାହା ପ୍ରକୃତରେ ଅସଲି କି ନୁହେଁ ତାହା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ବୋଲି ବାଲିଆପାଳ ଅଞ୍ଚଳର କିଛି ଚାଷୀ ଦାବି କରିଛନ୍ତି। ଏ ସମ୍ପର୍କରେ ଏସ୍ପିଓ ଚନ୍ଦ୍ର ଶେଖର ପାଢ଼ୀଙ୍କୁ ପଚାରିବାରୁ ଲକ୍ଷ୍ମୀଧରଙ୍କୁ ବିହନ ପ୍ରଦାନ କରାଯାଇଥିବା ସ୍ୱୀକାର କରିଥିଲେ। କିନ୍ତୁ ସେନେଇ ତାଙ୍କଠାରୁ କୌଣସି କାଗଜପତ୍ର ଅଣା ଯାଇପାରିନାହିଁ। ଏବେ ସେଗୁଡ଼ିକ ମାଗି ଦେଖିବୁ ବୋଲି କହି ଶ୍ରୀ ପାଢ଼ୀ ଅଭିଯୋଗକୁ ଅତି ହାଲୁକା ଭାବେ ନେଇଥିଲେ। ଏହାଛଡ଼ା ସେ ଆହୁରି ମଧ୍ୟ କହିଥିଲେ ଯେ ଏତେ ପରିମାଣରେ ନିଗମ ନାଁ ପ୍ରିଣ୍ଟ ହୋଇଥିବା ବ୍ୟାଗ୍ ରାଜଘାଟର ଘରୋଇ ପ୍ଲାଣ୍ଟକୁ କିପରି ଗଲା ସେ ଜାଣିନାହାନ୍ତି। ଯେଉଁଠି ଗୋଦାମ ସେଇଠି ଘରୋଇ ପ୍ଲାଣ୍ଟ ରହିବା ଓ ସେଠାରେ ସରକାରୀ ବିହନ ପ୍ରସେସିଂ କିପରି ଚାଲିଥିଲା ତାହା ସେ ଜାଣିନାହାନ୍ତି ବୋଲି କହି ଅସଲ ପ୍ରସଙ୍ଗକୁ ଫାଙ୍କି ଦେବାକୁ ଚେଷ୍ଟା କରିଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଲକ୍ଷ୍ମୀଧର ନିଗମଠାରୁ ବିପୁଳ ପରିମାଣର ବିହନ ନେଇ କ’ଣ କଲେ? କେଉଁ ଆଧାରରେ ନିଗମ କର୍ତ୍ତୃପକ୍ଷ ତାଙ୍କୁ ବିହନ ଯୋଗାଇଲେ? ଏହାଛଡ଼ା ଯଦି ତାଙ୍କୁ ଏତେ ପରିମାଣରେ ବିହନ ଯୋଗାଇ ଦିଆଯାଇଥିଲା ସେଥିରୁ କେତେ ଉତ୍ପାଦନ କରାଯାଇଛି ତାହା ତଦନ୍ତ କଲେ ବାସ୍ତବତା ସାମ୍ନାକୁ ଆସିପାରିବ। ଅନ୍ୟପକ୍ଷରେ ନିଗମ ପକ୍ଷରୁ ରାଜଘାଟଠାରେ ହେଉଥିବା ବିହନ ଗୋଦାମ ଓ ତା’ ପରିସରରେ ଏକ ଘରୋଇ ବିହନ ପ୍ରସେସିଂ ପାଣ୍ଟ୍ ବସିବାକୁ ନେଇ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଯାଇଛି। କାହା ଅନୁମତିରେ ସେଠାରେ ପ୍ରସେସିଂ ପ୍ଲାଣ୍ଟ୍ ବସିଥିଲା, ସେଠାକୁ ଏତେ ପରିମାଣରେ ନିଗମର ବ୍ୟାଗ୍ ଯୋଗାଉଥିଲା ସେନେଇ ବିଭାଗୀୟ କର୍ତ୍ତୃପକ୍ଷ ପରସ୍ପର ମଧ୍ୟରେ ଦୋଷ ଠେଲାଠେଲି ହୋଇଛନ୍ତି। ଏ ନେଇ ରାଜ୍ୟ ବିହନ ଉତ୍ପାଦକ ଅଧିକାରୀ ଆଦିତ୍ୟ ପଣ୍ଡାଙ୍କୁ ପଚାରିବାରୁ ସେଠାରେ କୌଣସି ପ୍ଲାଣ୍ଟ୍ ଚାଲି ନଥିବା ସେ କହିଥିଲେ। ଯଦି ଅଭିଯୋଗ ହେଉଛି ନିଶ୍ଚିତ ତଦନ୍ତ ହେବ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଜିଲ୍ଲାର ରାଜଘାଟଠାରେ କେବଳ ଲକ୍ଷ୍ମୀଧର ନୁହେଁ, ବରଂ ସମଗ୍ର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ କଲେ ଆହୁରି ଅନେକ ଲକ୍ଷ୍ମୀଧରଙ୍କ ଭଳି ନକଲି ପ୍ଲାଣ୍ଟ୍ ମାଲିକ ବାହାରିବେ ବୋଲି କୁହାଯାଇଛି। ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଥିବା ବେଳେ ତା ପୂର୍ବରୁ ନିଜ ଦୋଷ ଛଡ଼ାଇବାକୁ ଉଭୟ ପ୍ଲାଣ୍ଟ୍ ମାଲିକ ଓ ନିଗମର ସମ୍ପୃକ୍ତ ଅଧିକାରୀମାନେ ଗୁପ୍ତମେଳି ବାନ୍ଧିଥିବା ଜାଣିବାକୁ ମିଳିଛି। ତୁରନ୍ତ ତତ୍ ସଂକ୍ରାନ୍ତୀୟ ଅଡ଼ୁଆ କାଗଜପତ୍ରଗୁଡ଼ିକୁ ସଜାଡ଼ିବା ସହିତ ରାଜଘାଟସ୍ଥିତ ଗୋଦାମରେ ନିଗମ ବ୍ୟାଗ୍ରେ ରଖାଯାଇଥିବା ଟନ୍ ଟନ୍ ନକଲି ବିହନ ଓ ପ୍ରସେସିଂ ମେସିନ୍ ହଟାଇବାକୁ ଉଦ୍ୟମ ଚାଲିଥିବା ଜାଣିବାକୁ ମିଳିଛି। ତେଣୁ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନନେଲେ ସେମାନେ ଖସିଯିବାକୁ ସଫଳ ହେବାର ଆଶଙ୍କା ରହିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବିହନ ନିଗମର ମହାଦୁର୍ନୀତି ସମ୍ପର୍କରେ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ବାଲେଶ୍ୱର ଜିଲ୍ଲାପାଳ ଆଜି ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲା କୃଷି ବିଭାଗ ଉପନିର୍ଦେଶକଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ସରକାର ଉନ୍ନତମାନର ଚାଷ ପାଇଁ ବିଭିନ୍ନ ବ୍ୟବସ୍ଥା କରୁଥିବା ବେଳେ ଏପରି କେଳେଙ୍କାରୀ ଚାଲିଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀ ଓ ପ୍ଲାଣ୍ଟ ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ରାଉତ କହିଛନ୍ତି।
ବିହନ ନିଗମ ବାଲେଶ୍ୱର ଶାଖାରେ ମହାଦୁର୍ନୀତି-୨
ଅସାଧୁ ଅଧିକାରୀ ଓ ଘରୋଇ ପ୍ଲାଣ୍ଟ୍ ମାଲିକଙ୍କ ମଧୁଚନ୍ଦ୍ରିକା :ଜମି ନ ଥାଇ ନେଇଛନ୍ତି ଟନ୍ ଟନ୍ ବିହନ
/sambad/media/post_attachments/wp-content/uploads/2018/07/bls.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)