ବାଲେଶ୍ୱର/ବାହାନଗା: ଥାନାକୁ ୨୦ କିଲୋମିଟର ଏବଂ ବ୍ଲକକୁ ୩୫ କିଲୋମିଟର ଦୂର ଯିବାକୁ ପଡ଼ୁଛି। ବାଲେଶ୍ବର ଜିଲ୍ଲା ସଦର, ରେମୁଣା ଓ ବାହାନଗା ବ୍ଲକର ଉପକୂଳ ଅଞ୍ଚଳରେ ଥିବା ୧୭ଟି ପଞ୍ଚାୟତର ଜନସାଧାରଣ ଦୀର୍ଘ ଦଶନ୍ଧି ଧରି ଏହି ସମସ୍ୟା ଭୋଗୁଥିବା ବେଳେ ତା’ର ସମାଧାନ ପାଇଁ ଏବେ ଦାବି ଜୋରଦାର କରିଛନ୍ତି।  (ବୁଧବାର) କ୍ରାନ୍ତି ଦିବସ ଅବସରରେ ‘ଉପକୂଳ ସୁରକ୍ଷା ମଞ୍ଚ’ ସଂଗଠନ ପକ୍ଷରୁ ଆଞ୍ଚଳିକ ବିକାଶ ଏବଂ ନୂତନ ବ୍ଲକ ପ୍ରତିଷ୍ଠା ଦାବି ଅଭିଯାନର ଶୁଭାରମ୍ଭ ହୋଇଛି। ସମାଜସେବୀ ସର୍ବେଶ୍ବର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଇଞ୍ଚୁଡ଼ି ସ୍ଥିତ ଲବଣ ସତ୍ୟାଗ୍ରହ ସ୍ମୃତିପୀଠର ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ରେମୁଣା, ସଦର ଏବଂ ବାହାନଗା ବ୍ଲକର ଉପାନ୍ତ ଅଞ୍ଚଳରୁ ଆସିଥିବା ପ୍ରତିନିଧିମାନେ ମଂଚର ଲୋଗୋ, ଶ୍ବେତପତ୍ର ଓ ବ୍ୟାନର ଉନ୍ମୋଚନ କରିଥିଲେ।

Advertisment

ପରେ ଲବଣ ସତ୍ୟାଗ୍ରହ ସ୍ମୃତି ସଂଗ୍ରାହଳୟ ଗୃହରେ ମଂଚର ସୁଦୃଢ଼ ସଂଗଠନ ଓ ଆଗାମୀ କାର୍ଯ୍ୟଧାରା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସତ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପକୂଳ ସୁରକ୍ଷା ମଂଚ ପ୍ରତିଷ୍ଠାର ମୁଖ୍ୟ ଉଦ୍ୟୋକ୍ତା ଯୁବ ସଂଗଠକ ବଂଶୀଧର ଦଳେଇ ସଂଯୋଜନା କରିଥିଲେ। କବି ଶ୍ରୀଦେବ, ସମାଜସେବୀ ଅନିରୁଦ୍ଧ ଦାସ, ଶିବ ଜୀ, ସରୋଜ କୁମାର ଦାସ, ରାମନାରୟଣ ଶତପଥୀ, ଅଜୟ କୁମାର ବାରିକ, ବସନ୍ତ କୁମାର ଦାସ, ଜୟନ୍ତ କୁମାର ମଲ୍ଲିକ, କହ୍ନେଇ ପ୍ରଧାନ, ବିକାଶ ଦାସ, ଚନ୍ଦନ ମଲ୍ଲିକ, ଆଲୋକ ଜୀ, ପ୍ରଶାନ୍ତ ମଲ୍ଲିକ, ଅଭୟ ଦାସ, ଯୁଗୋଳ ମହଲ, ସଂଦୀପ କୁମାର ପଣ୍ଡା, ମଲିକ ରିଜୱାନ, ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଏଥିରେ ଯୋଗଦେଇ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ବ୍ଲକ୍‌ ଗଠନ ଅଭିଯାନର ସଫଳତା କାମନା କରିଥିଲେ। କେବଳ ବ୍ଲକ ପ୍ରତିଷ୍ଠା ଦାବି ନୁହେଁ ବରଂ ଜନ ସମସ୍ୟାର ସମାଧାନ ଉପରେ ବିଶେଷ ଗୁରୁତ୍ବ ଦେବାକୁ ବକ୍ତାମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଆଗାମୀ ଦିନରେ ପଞ୍ଚାୟତସ୍ତରୀୟ ବୈଠକ ଆୟୋଜନ ସହ ନୂତନ ବ୍ଲକ୍‌ ପ୍ରତିଷ୍ଠା ଦାବି ଆଭିମୁଖ୍ୟ ସହ ସାଧାରଣ ଲୋକଙ୍କୁ ମଂଚ ସହ ଯୋଡ଼ିବା, ସ୍ଥାନୀୟ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିବାକୁ ଏହି ଆଲୋଚନାଚକ୍ରରେ ନିଷ୍ପତି ନିଆଯାଇଥିଲା। ଏହି ଅଞ୍ଚଳରେ ଏକ ସ୍ବତନ୍ତ୍ର ବ୍ଲକ ପ୍ରତିଷ୍ଠା ପାଇଁ ସମସ୍ତେ ଏକ ମନ ହୋଇ ଉପକୂଳ ସୁରକ୍ଷା ମଂଚର ସମୂହ ସ୍ବାର୍ଥଭିତ୍ତିକ ଅଭିଯାନକୁ ଆଗେଇ ନେବାକୁ ଶପଥ ପାଠ କରାଯାଇଥିଲା। ସ୍ଥାନୀୟ ମହିଳା ନେତ୍ରୀ କବିତା ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମଞ୍ଚର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ବାରା ସ୍ମୃତିପୀଠରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।