ସୋର: ଦିବ୍ୟାଙ୍ଗମାନଙ୍କୁ ନେଇ ତିନିଚକିଆ (ହୁଇଲ୍‌ ଚେୟାର୍‌) ସାଇକେଲ ଦୌଡ଼ ପ୍ରତିଯୋଗିତା ଆୟୋଜନ କଲା ପ୍ରଶାସନ। ହେଲେ ପ୍ରଚାରପ୍ରସାର ଅଭାବରୁ ଏଥିରେ ନଗଣ୍ୟ ପ୍ରତିଯୋଗୀ ଭାଗ ନେଲେ। ତେବେ ପ୍ରତିଯୋଗୀଙ୍କୁ ଖାଦ୍ୟପାନୀୟ ଦେବା ଦୂରେ ଥାଉ; ଆଡ଼ ଆଖିରେ ବି ଚାହିଁଲେନି ଆୟୋଜକ। ପ୍ରଶଂସା ବଦଳରେ ମିଳିଲା ତିରସ୍କାର। ଯେଉଁଥି ପାଇଁ ନିଜକୁ ଅପମାନିତବୋଧ କରି ସଫଳ ପ୍ରତିଯୋଗୀମାନେ ପୁରସ୍କାର ନେବା ପରିବର୍ତ୍ତେ ବ୍ଲକ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଆଜି ଥିଲା ବିଶ୍ୱ ହୁଇଲ୍‌ ଚେୟାର୍‌ ଦିବସ। ଏହି ଦିବସ ଉପଲକ୍ଷେ ଗତ ଗୁରୁବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକ୍‌ ଓ ପୌରପାଳିକାରେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ହୁଇଲ୍‌ ଚେୟାର୍‌ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରତିଯୋଗିତା ବାବଦରେ ପ୍ରଶାସନ ଆଗୁଆ ପ୍ରଚାରପ୍ରସାର ନ କରିବାରୁ ସୋରଠାରେ ଅନୁଷ୍ଠିତ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ ୨୫ ଶହରୁ ଅଧିକ ଦିବ୍ୟାଙ୍ଗଙ୍କ ମଧ୍ୟରୁ ମାତ୍ର ୧୧ ଜଣ ଅଂଶଗ୍ରହଣ କରିଥିଲେ। ସେହିପରି ପୌରପାଳିକା ପ୍ରତିଯୋଗିତାରେ ୧୨ ଶହରୁ ଅଧିକ ଦିବ୍ୟାଙ୍ଗଙ୍କ ମଧ୍ୟରୁ ମାତ୍ର ଜଣେ ଭାଗ ନେଇଥିଲେ। ଏହାକୁ ଛାଡ଼ି ପ୍ରତିଯୋଗିତାକୁ ଆସିଥିବା ଦିବ୍ୟାଙ୍ଗଙ୍କୁ ନାନା ହଇରାଣ ଓ ଅପମାନ କରାଯାଇଥିଲା। ପ୍ରତିଯୋଗିତା ପୂର୍ବାହ୍ନ ୧୧ଟାରେ ହେବ ବୋଲି କୁହାଯାଇଥିବା ବେଳେ ଅପରାହ୍ନ ୪ଟାରେ ହୋଇଥିଲା। ବିଡ଼ମ୍ବନା ହେଉଛି, ଭୋକଶୋଷରେ ଆଉଟୁପାଉଟୁ ସତ୍ତ୍ବେ ଶାରୀରିକ ଭିନ୍ନକ୍ଷମ ଏହି ପ୍ରତିଯୋଗୀଙ୍କ ପାଇଁ ମଧ୍ୟାହ୍ନଭୋଜନ କିମ୍ବା ପାନୀୟଜଳର ବ୍ୟବସ୍ଥା କରିନଥିଲେ ଆୟୋଜକ। ମୁଣ୍ଡକାନ ଆଉଁସି କିଏ ବିସ୍କୁଟ ତ କିଏ ପାଉଁରୁଟି ଖାଇ ଭୋକ ନିବାରଣ କରିଥିଲେ। ଯାହାକୁ ନେଇ ଦିବ୍ୟାଙ୍ଗ ପ୍ରତିଯୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ବାଲେଶ୍ବର ସହରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଥିବା ବେଳେ ସୋର ବ୍ଲକ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତଳନଗର ପଞ୍ଚାୟତ ସୁନାରୀ ଗ୍ରାମର ଉପେନ୍ଦ୍ର ବାରିକ, ଦ୍ୱିତୀୟ ସ୍ଥାନରେ ଥିବା ବ୍ରହ୍ମଣସବିରା ଗ୍ରାମର ବୃନ୍ଦାବନ ଦଳେଇ, ତୃତୀୟ ସ୍ଥାନ ଅଧିକାର କରିଥିବା ସରଶଙ୍ଖ ଗ୍ରାମର ବିଜୟ କୁମାର ଜେନା ଓ ସୋର ପୌରାଞ୍ଚଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୁଦଣ୍ଡପୁର ଗ୍ରାମର ନୟନା ମୁଦୁଲି ସେଠାକୁ ନଯାଇ ସୋର ବ୍ଲକ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହିତ କାର୍ଯ୍ୟାନୁଷ୍ଠାନ ଦାବି କରି ସୋର ବିଡିଓ ସତ୍ୟନାଥ ନାଏକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ।
ଏ ସଂପର୍କରେ ବିଡିଓ ସତ୍ୟନାଥ ନାଏକ କହିଛନ୍ତି, ଗତକାଲି ମୁଁ କାର୍ଯ୍ୟାଳୟରେ ନଥିଲି। ଆଜି ଅଭିଯୋଗ ପାଇଛି। ଏ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିବି। ଅନ୍ୟପକ୍ଷରେ ପ୍ରତିଯୋଗିତାର ଆୟୋଜକ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ବାରିକଙ୍କୁ ପଚରାଯିବାରୁ ସେ କହିଥିଲେ, ଆମେ ବିଭାଗ ପାଖରୁ ପ୍ରତିଯୋଗିତା ବାବଦରେ ଚିଠି ବିଳମ୍ବରେ ଅର୍ଥାତ ୨୯ ତାରିଖ ସକାଳେ ପାଇଥିଲୁ। ହାତରେ ସମୟ ନଥିବା ବେଳେ ଯଥାସମ୍ଭବ ପ୍ରତିଯୋଗିତା ସଂକ୍ରାନ୍ତରେ ପ୍ରଚାରପ୍ରସାର କରିଥିଲୁ। ପ୍ରତିଯୋଗିତା ଦିନ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇ ନଥିଲେ ମଧ୍ୟ ଜଳଖିଆ ଓ ପାଣି ବ୍ୟବସ୍ଥା କରାଯାଇଥିଲା।