ଜଳେଶ୍ୱର: ମନ୍ଦିର ନିର୍ମାଣକୁ ନେଇ ଗାଁ’ରେ ଦେଖାଦେଇଥିଲା ବିବାଦ। ଜିଦ୍‌ରେ ୨ଟି ଶୈବପୀଠ ନିର୍ମାଣ ମଧ୍ୟ କରାଯାଇଥିଲା। ଆଉ ଦୁଇଭାଗ ହୋଇଯାଇଥିଲେ ଗ୍ରାମବାସୀ। ହେଲେ ସୁଖର କଥା; ଦୀର୍ଘ ୨୪ ବର୍ଷ ପରେ ବିବାଦର ସମାଧାନ ହୋଇଛି। ଶାନ୍ତିଯଜ୍ଞ ଆୟୋଜନ ପୂର୍ବକ ଉଭୟ ପକ୍ଷ ମଧ୍ୟରେ ଥିବା ମତାନ୍ତର ଓ ମନାନ୍ତରକୁ ଦୂର କରାଯାଇପାରିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଶିଖରପୁର ପଞ୍ଚାୟତ ଅଧୀନ ଭାନୁପୁର ଗାଁ’ରେ।
୨୦୧୧ ମସିହା ଜନଗଣନା ଅନୁଯାୟୀ ଭାନୁପୁର ଗ୍ରାମରେ ରହିଛି ୧୭୫ଟି ପରିବାର। ଲୋକସଂଖ୍ୟା ୭୯୮। ତେବେ ଲୋକସଂଖ୍ୟା ଏବେ ୧୨ ଶହ ଟପିଲାଣି। ଭାଇଚାରା ଦୃଷ୍ଟିରୁ ଏକଦା ଭାନୁପୁରର ଏକ ସ୍ବତନ୍ତ୍ର ପରିଚୟ ଥିଲା। ତେବେ ୨୪ ବର୍ଷ ତଳେ ଗାଁ’ରେ ଶିବ ମନ୍ଦିର ନିର୍ମାଣ ନେଇ ବିବାଦ ଦେଖାଦେଲା। ଗ୍ରାମବାସୀ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଗଲେ। ପରିସ୍ଥିତି ଏମିତି ହେଲା; ଉଭୟ ଗୋଷ୍ଠୀ ପକ୍ଷରୁ ଗ୍ରାମରେ ପାଖାପାଖି ଦୁଇଟି ମନ୍ଦିର ନିର୍ମାଣ କରାଗଲା ଏବଂ ଠାକୁରଙ୍କ ନାଆଁ ଦିଆଗଲା ‘ଝଗଡ଼େଶ୍ବର’। ସେହିଦିନଠାରୁ ଗ୍ରାମବାସୀ ଦୁଇଭାଗ ହୋଇ ବିଭିନ୍ନ ପର୍ବପର୍ବାଣୀ ପାଳନ କରିବା ସହ ଦୁଇ ମନ୍ଦିରରେ ପୃଥକ୍‌ ପୃଥକ୍‌ ପୂଜା କରିଆସୁଥିଲେ। କିଛି ବରିଷ୍ଠ ବ୍ୟକ୍ତି ବିଭିନ୍ନ ସମୟରେ ବିବାଦର ସମାଧାନ ପାଇଁ ଉଦ୍ୟମ କରିଆସିଥିଲେ। ବାରମ୍ବାର ବୈଠକ ମଧ୍ୟ ବସିଥିଲା। ହେଲେ କିଛି ଫଳ ମିଳି ନଥିଲା। ତେବେ ଗତ ମାସ ୨୭ ତାରିଖ ଦିନ ଏକ ସମନ୍ବୟ ବୈଠକ ବସି ବିବାଦର ସମାଧାନ ହୋଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା; ମନ୍ଦିରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଉ ବିବାଦ ରହିବ ନାହିଁ। ଦୁଇଟି ଯାକ ମନ୍ଦିର ଗାଁ’ର ମନ୍ଦିର। ଯେଉଁଥିଲେ ଉଭୟ ଗୋଷ୍ଠୀ ସମ୍ମତି ଦେଇଥିଲେ। ତେଣୁ ମନ୍ଦିର ପରିଚାଳନା ଦାୟିତ୍ୱ ଗାଁ କମିଟି ତୁଲାଇବ ବୋଲି କୁହାଯାଇଥିଲା। ଏହିକ୍ରମରେ କମିଟିର ସଭାପତି ଭାବେ ବିଜୟ କୁମାର ପ୍ରଧାନ ଏବଂ ସମ୍ପାଦକ ଭାବେ କମଳାକାନ୍ତ ଗିରିଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ କିଛି ବରିଷ୍ଠ ନାଗରିକ ପରାମର୍ଶଦାତା ଏବଂ ବିଭିନ୍ନ ବର୍ଗର ଲୋକ ସଦସ୍ୟ ରହିଛନ୍ତି। ଅନ୍ୟପଟେ ଦୀର୍ଘ ୨୪ ବର୍ଷ ପରେ ଗାଁ ବିବାଦର ଅବସାନ ହୋଇଥିବାରୁ କମିଟି ପକ୍ଷରୁ ଏକ ଶାନ୍ତିଯଜ୍ଞ ଆୟୋଜନ ନେଇ ନିଷ୍ପତ୍ତି ହୋଇଥିଲା। ଯାହା ଆଜିଠାରୁ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ଶାନ୍ତିଯଜ୍ଞ ବିଷ୍ଣୁପଦ ପଣ୍ଡାଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେଉଛି। ବିଜୟ କୁମାର ପ୍ରଧାନ, କମଳାକାନ୍ତ ଗିରି, କମଳାକାନ୍ତ ସାମଲ, ରବୀନ୍ଦ୍ର ପ୍ରଧାନ, ପଦ୍ମଲୋଚନ ସାହୁ, ପରେଶ ଚନ୍ଦ୍ର ପ୍ରଧାନ, ଅଦୈତ୍ୟ ପ୍ରସାଦ ଦାସ, ସୁଜୟ କରଣ, ଅଜୟ ଜେନା, ଗଣେଶ ଗିରି, ସୀତାରାମ ଦେ, ମିହିର ଆଚାର୍ଯ୍ୟଙ୍କ ସହ ଅନ୍ୟ ଗ୍ରାମବାସୀ ସହଯୋଗ କରୁଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ଏପରି ପୁନର୍ମିଳନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।