ଭୋଗରାଇ : ସାମାନ୍ୟ ବଚସାକୁ କେନ୍ଦ୍ରକରି ବାଲେଶ୍ୱର ଭୋଗରାଇ ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତ ପଥରେଶ୍ୱର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍ରେ ବାଇକ୍ଟି ଘଷି ହୋଇଯିବାରୁ ବାଇକ୍ ଚାଳକ ଓ ଉତ୍ତ୍ୟକ୍ତ ଲୋକେ କାର୍ ଡ୍ରାଇଭରକୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ବସ୍ତା ବ୍ଲକ ସି˚ଲା ଥାନା ଅଧୀନ ସିଂଲା ଗାଁର ହରିଶ୍ଚନ୍ଦ୍ର କାମିଳା ଦୀର୍ଘବର୍ଷ ଧରି ଭୋଗରାଇର ରଣକୋଠାରେ ରହି ଗହଣା ଦୋକାନ କରିଥିଲେ। ବୁଧବାର ସନ୍ଧ୍ୟାରେ ରଣକୋଠା ଗାଁର ଜଣେ ମହିଳା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ନିଜ ମାରୁତି ଓମିଟି କାରରେ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ମହିଳାଙ୍କୁ ଛାଡ଼ି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ। ତେବେ ଜଗନ୍ନାଥପୁର-ରଣକୋଠା ରାସ୍ତାର ପଥରେଶ୍ୱର ବିଦ୍ୟାଳୟ ପାଖରେ ଆଗରୁ ଆସୁଥିବା ଏକ ବାଇକ୍ରେ ତାଙ୍କ କାର୍ଟି ଘଷି ହୋଇଯାଇଥିଲା। ଏଥିରେ ବାଇକ ଆରୋହୀ ସ୍ଥାନୀୟ ସୁକଷଣ୍ଢା ପାଟଣା ଗାଁର ମୃତ୍ୟୁଞ୍ଜୟଙ୍କ ସମେତ ସ୍ଥାନୀୟ ଯୁବକମାନେ ଉତ୍ତ୍ୟକ୍ତ ହୋଇ କାର୍ ଚାଳକ ହରିଶ୍ଚନ୍ଦ୍ରଙ୍କୁ ଗାଡ଼ି ଭିତରୁ ଟାଣି ଆଣିଥିେଲ। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଯୁବକମାନେ ହରିଶ୍ଚନ୍ଦ୍ରଙ୍କୁ ମାଡ଼ ମାରିଥିଲେ। ବାରମ୍ବାର ମାଡ଼ ମରାଯିବା ଫଳରେ ସେ ଚେତାଶୂନ୍ୟ ହେବାରୁ ଆକ୍ରମଣକାରୀମାନେ ସେଠାରୁ ପଳାଇ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ହରିଶ୍ଚନ୍ଦ୍ରଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ମୃତକ ହରିଶ୍ଚନ୍ଦ୍ରଙ୍କ ପୁଅ ହିରଣ୍ୟ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ପୁଲିସ କେସ(ନଂ.୧୬୬/୧୮)ରେ ଏକ ମାମଲା ରୁଜ୍ଜୁ କରି ମୁଖ୍ୟ ଅଭିଯୁକ୍ତ ମୃତ୍ୟୁଞ୍ଜୟକୁ ଗିରଫ କରିଛି। ଏହାଛଡ଼ା ଗାଁର ୧୫ରୁ ଅଧିକ ଯୁବକଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଥିବା ଆଇଆଇସି ନରେନ୍ଦ୍ର କୁମାର ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/bhograi.jpg-f.jpg)