ବାଲେଶ୍ବର (କବିତା ପାତ୍ର): ଆଜି ପବିତ୍ର ମହାସପ୍ତମୀରେ ସମସ୍ତ ମଣ୍ଡପରେ ଧୁମ୍ଧାମ୍ରେ ପୂଜା ପାଉଛନ୍ତି ମା’ଜଗତଜନନୀ। ଏଥିପାଇଁ ବାଲେଶ୍ବର ସହର ଚଳଚଞ୍ଚଳ ହୋଇଉଠିଛି। ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛି ସହର। ସହରର ମୁଖ୍ୟ ରାସ୍ତାଠାରୁ ଗଳି ରାସ୍ତା ଓ ପ୍ରସିଦ୍ଧ ସ୍ଥାନଗୁଡ଼ିକ ଆଲୋକମାଳାରେ ରଙ୍ଗିନ୍ ଆଲୋକ ଝଳସୁଛି। ପ୍ରତିଟି ପୂଜା ପେଣ୍ଡାଲରେ ନୂଆ ନୂଆ ଥିମ୍, ଅଦ୍ଭୁତ ଆଲୋକସଜ୍ଜା ସହ ମା’ ଦୁର୍ଗାଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସହରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ମା’ ଜଗତଜନନୀ ପୂଜା ପାଉଛନ୍ତି। ମା’ଙ୍କ ଆକର୍ଷଣୀୟ ମୂର୍ତ୍ତି ଓ ନିଆରା ତୋରଣକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
ପୂଜା ପାଇଁ ସହରର ଦୋକାନ ବଜାରରେ ମଧ୍ୟ ଭିଡ଼ ଲାଗିଛି। ବସ୍ତ୍ର, ଗହଣା, ଫୁଲ, ମିଠା ଓ ଖାଦ୍ୟ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଦେଖାଯାଇଛି। ସେପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ମାଳମାଳ ଅଫର୍ ଘୋଷଣା କରିଛନ୍ତି। କିଏ ଫ୍ଲାଟ୍ ୫୦% ରିହାତି କଲାଣି ତ, ଆଉ କିଏ ଗୋଟିଏ କିଣିଲେ ୨ଟି ମାଗଣା ଅଫର୍ ଦେଲାଣି। ଯେଉଁ କାରଣରୁ ସପିଂ ମଲ୍ରେ ଲୋକଙ୍କ ଭିଡ଼ ପ୍ରବଳ। ସୁନା ଗହଣା ଦୋକାନରେ ବି ଅଫର୍ ଲାଗିଥିବାରୁ ବ୍ୟବସାୟ ଭଲ ହେଉଛି। ବିଶେଷ କରି ସନ୍ଧ୍ୟାରେ ବଜାରରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସହରର ବିଭିନ୍ନ ଅଞ୍ଚଳରେ ମେଳା, ମୀନାବଜାର ଓ ଦୋଳି ଆଦି ବସିଛି। ସେଠାରେ ଅନେକ ସ୍ଥାନୀୟ ଓ ବାହାର ବ୍ୟବସାୟୀମାନେ ତାଙ୍କର ସାମଗ୍ରୀ ବିକ୍ରି କରୁଛନ୍ତି। ଲୋକମାନେ ଅପରାହ୍ଣରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଦୋକାନ, ଖାଦ୍ୟ ଷ୍ଟଲ, ଓ ଖେଳନା ବଜାରରେ ବୁଲି ବୁଲି ଆନନ୍ଦ ଉଠାଉଛନ୍ତି।
/filters:format(webp)/sambad/media/media_files/2025/09/29/bls1-2025-09-29-22-05-59.jpg)
ପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ଜାରି କରାଯାଇଛି। ଏକାଧିକ ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ ମଧ୍ୟ କରାଯାଇ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଶାନ୍ତିଶୃଙ୍ଖଳାର ସହ ପର୍ବ ପାଳନ କରିବାକୁ ପୁଲିସ ବିଭାଗ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି। ଅନ୍ୟପଟେ ସବୁ ପେଣ୍ଡାଲରେ ସ୍ବେଚ୍ଛାସେବୀଙ୍କ ସହ ସୁରକ୍ଷାକର୍ମୀ ନିୟୋଜିତ ରଖିବାକୁ କୁହାଯାଇଛି। ସେଭଳି ପୁଲିସ ପାଟ୍ରୋଲିଂ ମଧ୍ୟ ବୃଦ୍ଧି କରାଯାଇଛି।
ଦୁର୍ଗାପୂଜା କେବଳ ଧାର୍ମିକ ପାର୍ବଣ ନୁହେଁ, ଏହା ହେଉଛି ସାମୂହିକ ଐକ୍ୟ, ସଂସ୍କୃତି ଓ ଖୁସିର ପରିଚାୟ। ବାଲେଶ୍ବର ସହର ଏଥିରେ ଏକ ଅଦ୍ଭୁତ ଦୃଷ୍ଟାନ୍ତ ରୂପେ ଉଭୟ ଆଧୁନିକତା ଓ ପାରମ୍ପରିକତାକୁ ମିଶାଇ ଉପସ୍ଥାପିତ କରୁଛି। ଯାହା ଜିଲ୍ଲା ସମେତ ଜିଲ୍ଲା ବାହାରର ଲୋକଙ୍କୁ ଆକୃଷ୍ଟ କରିଆସିଛି। ବିଶେଷକରି ନିକଟବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗର ପରମ୍ପରା, ରୀତିନୀତି ମା’ଙ୍କ ପୂଜା ଅଧିକ ଦେଖିବାକୁ ମିଳିଥାଏ। ଅଧିକାଂଶ ଭୂର୍ତ୍ତି କାରିଗର ପଶ୍ଚିମବଙ୍ଗର ହୋଇଥିବା ବେଳେ ମା’ଙ୍କ ମୂର୍ତ୍ତି ଓ ସାଜସଜ୍ଜା ମଧ୍ୟ ବେଙ୍ଗଲୀ ଶୈଳୀରେ ଦେଖିବାକୁ ମିଳିଥାଏ।
Balasore | Durga Puja
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/29/bls-2025-09-29-21-59-25.jpg)