ହାତୀପଲଙ୍କ ଦଳାଚକଟାରେ ବ୍ୟାପକ ଧାନଫସଲ ନଷ୍ଟ, ଘର ଭାଙ୍ଗିଲେ

ନୀଳଗିରି : ଝାଡ଼ଖଣ୍ତର ଦଲମା ଜଙ୍ଗଲରୁ ନୀଳଗିରିକୁ ପଳାଇ ଆସିଥିବା ୪୨ଟି ହାତୀ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି। ମଙ୍ଗଳବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ପରେ ସଜନାଗଡ-ଅଯୋଧ୍ୟା ମୁଖ୍ୟରାସ୍ତା ଅତିକ୍ରମ କରି ଗୋପାଳପୁର, ଜଡିବାଲି କୁଆନାଳି, ସାନକୁଆନାଳି, ଅଯୋଧ୍ୟା ଗାଁ ବାଟ ଦେଇ ହାତିଆଶିଳା ଯାଇଥିଲେ। ଯିବା ସମୟରେ ଜମିରୁ ଧାନଫସଲ ଖାଇବା ସହ ବହୁ ଚାଷଜମି ଦଳିଚକଟି ନଷ୍ଟ କରିଛନ୍ତି। ଅଯୋଧ୍ୟା ଗାଁ ମୁଣ୍ତରେ ଥିବା ଏକ ଇଟାଭାଟିର ୨ଟି ଘରକୁ ଭାଙ୍ଗିବା ସହିତ ଗାଁରେ କଦଳୀ ଗଛ, ପନିପରିବା ଓ ଶାଳଗଛ ଉପାଡ଼ି ପକାଇଛନ୍ତି। ହାତୀପଲଙ୍କୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବାଣ, ବାଜା, ନିଆଁ ଆଦିର ପ୍ରୟୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏତେସଂଖ୍ୟକ ହାତୀଙ୍କୁ ନେଇ ଅଞ୍ଚଳବାସୀ ଚିନ୍ତାରେ ଥିବା ବେଳେ ଆହୁରି ୬୦ଟି ଝାଡ଼ଖଣ୍ତୀ ହାତୀ ନୀଳଗିରି ମୁହାଁ ହୋଇଥିବା ଜଣାପଡ଼ିଛି।

ହାତୀ ଭୟରେ ନୀଳଗିରି ବ୍ଲକର ଅଯୋଧ୍ୟା, ଭଉଁରିଆବାଡ, ନରଣପୁର, ଗରଡିହି, ସଜନାଗଡ, ମହିଷାପଟ୍ଟା, ମାଟିଆଳି, ରାଧାକିଶୋରପୁର, କାଂଶ, ଜାମୁଡିହା, ଛତ୍ରପୁର, କେସିପୁର, ତେଲିପାଳ ଆଦି ୧୨ଟି ପଞ୍ଚାୟତରେ କୋକୁଆଭୟ ଖେଳିଯାଇଛି। ହାତୀ ଦାଉରୁ ରକ୍ଷା ପାଇବା ଲାଗି ବନାଞ୍ଚଳବାସୀଙ୍କ ମଧ୍ୟରୁ ଅନେକ ଗଛ ଉପରେ ମଞ୍ଚା ବାନ୍ଧିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ହାତୀପଲଙ୍କ ସୁରକ୍ଷା ପାଇଁ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିବାରୁ ଲୋକେ ଡିବିରି ଆଲୁଅକୁ ଭରସା କରିଛନ୍ତି। ଏଭଳି ପରିସ୍ଥିତିରେ ହାତୀପଲଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା, ହାତୀ ଉପଦ୍ରୁତ ଅଞ୍ଚଳରେ ଗ୍ରାମବାସୀଙ୍କୁ ସ୍ବତନ୍ତ୍ର ଭାବେ ଅଧିକ କିରୋସିନ ଯୋଗାଣ, ପ୍ରତି ଗାଁ’କୁ ପର୍ଯ୍ୟାପ୍ତ ପରିମାଣରେ ବାଣ ଓ ଲାଇଟ୍‌ ପ୍ରଦାନ, ସୋଲାର ବାଡ଼ ଓ ଟ୍ରେଞ୍ଚକୁ କାର୍ଯ୍ୟକ୍ଷମ କରିବା ଲାଗି ଭଉଁରିଆବାଡ ସରପଞ୍ଚ ଶକୁନ୍ତଳା ମଲ୍ଲିକ, ସଜନାଗଡ ସରପଞ୍ଚ ସବିତା ଖାଲପାଳିଆ ପ୍ରମୁଖ ବନ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଖବର ଲେଖାଯିବା ବେଳକୁ ହାତୀପଲ ହାତିଆଶିଳା ଗାଁ ନିକଟରେ ରହିଥିଲେ। ଘଟଣାସ୍ଥଳରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ, ଏସିଏଫ ଶରତ ଚନ୍ଦ୍ର ବେହେରା, ତପନ କୁମାର ପରିଡା, ନୀଳଗିରି ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର