ଜଳେଶ୍ୱର: ଭ୍ରାମ୍ୟମାଣ ଖାଦ୍ୟ ଦୋକାନ କରି ଏବେ ଜଣେ ଶିକ୍ଷିତ ଯୁବକ ବେଶ୍ ଚର୍ଚ୍ଚାରେ। ସେ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ତମ୍ବାଖୁରୀ ଗ୍ରାମର ଆନନ୍ଦ କବି ଓ ଭାନୁମତୀ କବିଙ୍କ ପୁଅ ପ୍ରଦୀପ୍ତ କୁମାର।
୧୯୯୨ ମସିହା ଜାନୁଆରି ୧୮ ତାରିଖ ଦିନ ଜନ୍ମଗ୍ରହଣ କରିଥିବା ପ୍ରଦୀପ୍ତ ୨୦୧୪ ମସିହାରେ ବାଲେଶ୍ୱର ଶେରଗଡ଼ସ୍ଥିତ ନିଷ୍ଟ କଲେଜରୁ ମେକାନିକାଲ୍ ଡିପ୍ଲୋମାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଭୁବନେଶ୍ୱରର ଏକ ଘଇ ଶିକ୍ଷାନୁଷ୍ଠାନରେ ସେ ବିଟେକ୍ ଡିଷ୍ଟାନ୍ସ କୋର୍ସରେ ନାମ ଲେଖାଇଥିଲେ। ତେବେ ୨୦୧୭ ମସିହାରେ ତୃତୀୟ ବର୍ଷର ପାଠପଢ଼ା ଚାଲିଥିବା ବେଳେ ପରିବାରର ଆର୍ଥିକ ଦୁରବସ୍ଥା କାରଣରୁ ପ୍ରଦୀପ୍ତ କୋର୍ସ ଫି’ ଦେଇ ପାରି ନଥିଲେ। ଫଳରେ ତାଙ୍କର ପାଠପଢ଼ା ବନ୍ଦ ହୋଇଗଲା। ସେ ମହାରାଷ୍ଟ୍ରର ପୁନେକୁ ପଳାଇଗଲେ ଏବଂ ସେଠାରେ ଏକ ଅଟୋମୋବାଇଲ୍ କମ୍ପାନିରେ ଚାକିରି କଲେ। କମ୍ପାନିରୁ ମାସକୁ ୩୫ ହଜାର ଟଙ୍କା ଦରମା ପାଉଥିଲେ। ହେଲେ ନିଜେ କିଛି କରିବା ଏବଂ ସ୍ବାବଲମ୍ବୀ ହେବାର ସ୍ବପ୍ନ ତାଙ୍କୁ ଶୁଆଇ ଦେଉ ନଥିଲା। ତେଣୁ ସେ ୨୦୧୯ ମସିହାରେ ଚାକିରି ଛାଡ଼ି ଗାଁ’କୁ ପଳାଇଆସିଲେ। ଲୋନ୍ରେ ଏକ ଟାଟା ଏସିଇ ପିକ୍ଅପ୍ କିଣି ସେଥିରେ ଆରମ୍ଭ କରିଥିଲେ ଭ୍ରାମ୍ୟମାଣ ଖାଦ୍ୟ ଦୋକାନ ‘ପିକେ ଆନନ୍ଦଦାୟକ ଭୋଜନାଳୟ’। ପ୍ରଥମେ ଭୁବନେଶ୍ୱରରେ ଏହି ଦୋକାନ ଖୋଲିଥିଲା। ପରେ ପାରିବାରିକ ସମସ୍ୟା ଯୋଗୁଁ ପ୍ରଦୀପ୍ତ ନିଜ ଭ୍ରାମ୍ୟମାଣ ଦୋକାନକୁ ବସ୍ତା ବ୍ଲକ୍ ରାଜଘାଟ ବଜାରକୁ ସ୍ଥାନାନ୍ତର କରିଥିଲେ। ଆଉ ଏବେ କିଛି ସପ୍ତାହ ହେଲା ସେ ଜଳେଶ୍ୱରର ବଡ଼ବଜାର ଛକ ନିକଟସ୍ଥ ପୋଲ ଉପରେ ଦୋକାନ ଖୋଲିଛନ୍ତି। ସଂଧ୍ୟା ସମୟରେ ଫାଷ୍ଟ ଫୁଡ୍ ଖାଇବା ପାଇଁ ଦୋକାନରେ ପ୍ରବଳ ଗହଳି ହେଉଛି। ଗ୍ରାମ୍ୟମାଣ ଦୋକାନରେ ମାସକୁ ପାଖାପାଖି ୧ ଲକ୍ଷ ଟଙ୍କା ବ୍ୟବସାୟ ହେଉଥିବା ବେଳେ ପ୍ରଦୀପ୍ତ ୩୦ରୁ ୩୫ ପ୍ରତିଶତ ଲାଭ ପାଉଥିବା କହିଛନ୍ତି।
ତେବେ ଚାକିରି ପଛରେ ନଗୋଡ଼ାଇ ପ୍ରଦୀପ୍ତ ବ୍ୟବସାୟ କରିଛନ୍ତି ଏବଂ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ‘ପିକେ ଆନନ୍ଦଦାୟକ ଭୋଜନାଳୟ’ କରି ସେ ଏବେ ଚର୍ଚ୍ଚାରେ ଥିବା ବେଳେ ଯୁବବର୍ଗଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି। ତାଙ୍କ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଚର୍ଚ୍ଚାରେ ‘ପିକେ: ଆନନ୍ଦଦାୟକ ଭୋଜନାଳୟ’: ଅନ୍ୟ ପାଇଁ ଉଦାହରଣ ଇଞ୍ଜିନିୟର ‘ପ୍ରଦୀପ୍ତ’
/sambad/media/post_attachments/wp-content/uploads/2024/02/pk.jpeg)
/sambad/media/agency_attachments/2024-07-24t043029592z-sambad-original.webp)