ଲାଞ୍ଚ ମାମଲା : ଅବସରପ୍ରାପ୍ତ କିରାଣିଙ୍କୁ ୨ବର୍ଷ ଜେଲ୍‌

ବାଲେଶ୍ୱର : ବାଲେଶ୍ୱର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ଶୁଣାଣି କରି ଜଣେ ଅବସରପ୍ରାପ୍ତ କିରାଣିଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅନାଦାୟେ ଆଉ ଦୁଇମାସ ଜେଲ ଦଣ୍ଡାଦେଶ ହୋଇଛି। ଦୋଷୀସାବ୍ୟସ୍ତ ଉକ୍ତ ଅବସରପ୍ରାପ୍ତ କିରାଣି ହେଉଛନ୍ତି ରାଜେନ୍ଦ୍ର ସାହୁ। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ପିଅନ ଉତ୍ତମ କୁମାର ସାମଲଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।

ଗତ ୨୦୦୮ ମସିହା ମେ ମାସ ୨୮ ତାରିଖରେ ବାଲେଶ୍ୱର ଭିଜିଲାନ୍ସ ପୁଲିସ ଷ୍ଟେସନରେ କେସ ନଂ-୧୮ରେ ଏକ ମାମଲା ରୁଜୁ ହୋଇଥିଲା। ସେତେବେଳେ ରାଜେନ୍ଦ୍ର ସାହୁ ନୀଳଗିରି ତହସିଲରେ ବରିଷ୍ଠ କିରାଣି ଓ ଉତ୍ତମ କୁମାର ସାମଲ ସଜନାଗଡ଼ ଆରଆଇ ଅଫିସରେ ପିଅନ ଥିଲେ। ଏହି ସମୟରେ ସେମାନେ ଅଭିଯୋଗକାରୀ ସୋର ଥାନା ଅଞ୍ଚଳର ପୀତାମ୍ବର ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ପଥର ଖାଦାନର ଓ୍ଵାର୍କଅର୍ଡର ଓ ପାଶବୁକ୍‌ ଅପରେସନ ନିମନ୍ତେ ୨ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଏ ନେଇ ଶ୍ରୀ ସାମଲ ବାଲେଶ୍ୱର ଭିଜିଲାନ୍ସକୁ ଜଣାଇବା ପରେ କିରାଣି ଶ୍ରୀ ସାହୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପୁଲିସ ତାଙ୍କୁ ଧରିଥିଲେ। ଏହାସହିତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପିଅନ ଶ୍ରୀ ସାମଲଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏନେଇ ବାଲେଶ୍ୱର ଭିଜିଲାନ୍ସ କୋର୍ଟରେ ୩୩/୨୦୦୮ରେ ମାମଲା ରୁଜୁ ହୋଇଥିଲା। ଆଜି ଭିଜିଲାନ୍ସ କୋର୍ଟର ବିଚାରପତି ରମାନାଥ ପଣ୍ଡା ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଦସ୍ତାବିଜ୍‌କୁ ଭିତ୍ତି କରି ଅବସରପ୍ରାପ୍ତ କିରାଣି ଶ୍ରୀ ସାହୁଙ୍କୁ ଦଣ୍ଡାଦେଶ ଦେବା ସହିତ ପିଅନ ଶ୍ରୀ ସାମଲଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସ୍ପେଶାଲ ପିପି ସେକ୍‌ ହାଜିରୁଦ୍ଦିନ ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର