ବାଲେଶ୍ୱରରେ ଜାଲ୍ ନୋଟ୍ ର୍ୟାକେଟ୍ : ଏକ ଲକ୍ଷ ୪୮ ହଜାର ଜାଲ ନୋଟ୍ ଜବତ
୫ ଗିରଫ, ୨ଟି ବାଇକ୍ ଓ ଗୋଟିଏ କାର ଜବତ୍
ବାଲେଶ୍ୱର/ସିମୁଳିଆ : ବାଲେଶ୍ୱର ଜିଲ୍ଲାରେ ଗତ କିଛି ମାସ ଧରି ସକ୍ରିୟ ଥିବା ଏକ ଜାଲ୍ ନୋଟ୍ ର୍ୟାକେଟର ପର୍ଦ୍ଦାଫାସ କରିଛି ସିମୁଳିଆ ପୁଲିସ। ଋଣ ଟଙ୍କା ସୁଝିବାକୁ ଆସିଥିବା ଜଣେ ହିତାଧିକାରୀଙ୍କ ଠାରୁ ମିଳିଥିବା ଜାଲ୍ ନୋଟକୁ ଆଧାର କରି ଏଭଳି ସଫଳତା ପୁଲିସକୁ ମିଳିଛି।
ସୂଚନା ଅନୁସାରେ; ଚଳିତ ମାସ ୯ ତାରିଖରେ ସିମୂଳିଆ କ୍ଷୀରକୋଣା ପଞ୍ଚାୟତ ବିରଞ୍ଚିପୁର ଗାଁର ବିଷ୍ଣୁଚରଣ ନାୟକ କ୍ଷୀରକୋଣା ସେବା ସମବାୟ ସମିତିରୁ ନେଇଥିବା ଦେଢ ଲକ୍ଷ ଟଙ୍କାର ଋଣ ସୁଝିବାକୁ ଯାଇଥିଲେ। ସେ ଦାଖଲ କରିଥିବା ୭୫ଟି ୨ ହଜାର ଟଙ୍କିଆ ମଧ୍ୟରୁ ୨୨ଟି ୨ ହଜାର ଟଙ୍କିଆ ଅର୍ଥାତ୍ ୪୪ ହଜାର ଟଙ୍କା ନକଲି ବୋଲି ଜଣାପଡିଥିଲା। ସମିତିର ସଂପାଦକ ଅଚ୍ୟୁତାନନ୍ଦ ଦାସଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ପୁଲିସ୍ ବିଷ୍ଣୁଚରଣ, ଏବଂ ତାଙ୍କ ବୟାନ ଆଧାରରେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳଙ୍କୁ ପଚରାଉଚରା କରିଥିଲା। ଏହାପରେ ପୁଲିସ୍ ସହଦେବଖୁଣ୍ଟା ଥାନା ଅଧୀନସ୍ଥ କଣ୍ଟାବଣିଆର ସଲିମ ଓରଫ୍ ବୋକା(୧୯) ଓ ସେକ୍ ରିଜୱାନ୍(୨୦)ଙ୍କୁ ଗିରଫ କରିଛି।। ଏମାନଙ୍କ ଠାରୁ ସୂଚନା ପାଇ ସଦର ବ୍ଲକ୍ ଗଣ୍ଡର୍ଦା ଗାଁର ମନୋରଂଜନ ବାରିକ(୩୪)ଙ୍କୁ ଧରିଥିଲା ପୁଲିସ। ଆଜି ସିମୂଳିଆ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ପ୍ରଭାସ ପାଲ୍ ଏ ସଂପର୍କରେ ସୂଚନା ଦେଇଛନ୍ତି।
ଜାଲ୍ ନୋଟ୍ କାରବାରର କିଙ୍ଗ୍ପିନ୍ ଗିରଫ
ଗାଇସିଲାଟ : ଏକ ବଡ଼ଧରଣର ଜାଲ୍ ନୋଟ୍ ର୍ୟାକେଟର ପର୍ଦାଫାସ ହୋଇଛି। ବୌଦ୍ଧ ଏବଂ ଗାଇସିଲାଟ ପୁଲିସର ମିଳିତ ଚଢ଼ଉରେ କିଙ୍ଗ୍ପିନ୍ ବିଶ୍ୱପତି ସାହୁ (୩୦) ଗିରଫ ହୋଇଛି। ସୂଚନା ମୁତାବକ, ୮ ଦିନ ତଳେ ବୌଦ୍ଧ ଅଂଚଳରେ ବ୍ୟାପକ ଜାଲ୍ ନୋଟ୍ କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ବୌଦ୍ଧ ପୁଲିସ୍ ଜାଲ୍ ନୋଟ୍ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିରେ ଜଣେ ଅଭିଯୁକ୍ତ ଧରା ପଡ଼ିଥିଲା। ତାକୁ ଜେରା କରିବା ପରେ ପୁଲିସ୍ ବିଶ୍ୱପତିଙ୍କ ନିକଟରେ ପହଞ୍ଚ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।