ବାଲେଶ୍ୱର: ବାଲେଶ୍ୱର ସହର ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ ନିକଟରୁ ୩ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କିଛି ଅଟୋ ଡ୍ରାଇଭର ଓ ସ୍ଥାନୀୟ ଲୋକେ ଧରି ଆଜି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କଠାରୁ ନକଲି ନୋଟ୍ ଜବତ କରାଯାଇଥିବା ବେଳେ ସେମାନେ ବାଲେଶ୍ବର ଆସି କାରବାର କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ; ଝାଡ଼ଖଣ୍ଡ ରାଜ୍ୟ ବୋକାର ଜିଲ୍ଲା ନବଡ଼ିହ ଅଞ୍ଚଳର ଇବ୍ରାରିର କାଜି (୪୭), ହାଫିଜ୍ ଅନୱାର(୪୬) ଓ ସାକିଲ କାଜି(୩୭) କିଛି ଦିନ ହେଲା ବାଲେଶ୍ବର ସହରକୁ ନିୟମିତ ଆସୁଥିଲେ। ସେମାନେ ବସ୍ଷ୍ଟାଣ୍ଡରେ ପହଞ୍ଚି ଅଟୋରେ ବିଭିନ୍ନ ଅଞ୍ଚଳକୁ ଯାଉଥିଲେ। ମଦ୍ରାସା ସ୍କୁଲ୍ ଖୋଲିବା ପାଇଁ ସେମାନେ ଟଙ୍କା ଆଦାୟ କରୁଥିଲେ। ତେବେ ଗତ ୧୫ ଦିନ ପୂର୍ବରୁ ଏକ ଅଟୋରେ ସେମାନେ ରେମୁଣା ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଉକ୍ତ ଅଟୋ ଡ୍ରାଇଭରକୁ ଯେଉଁ ଟଙ୍କା ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ନକଲି ଟଙ୍କା ବୋଲି ଜଣାପଡ଼ିଥିଲା। ହେଲେ ଅଟୋ ଡ୍ରାଇଭର ଜଣକ ସେମାନଙ୍କୁ ଯେତେ ଖୋଜିଥିଲେ ମଧ୍ୟ ପାଇନଥିଲେ। ହେଲେଆଜି ସମ୍ପୃକ୍ତ ୩ ଜଣ ପୁଣିଥରେ ବାଲେଶ୍ୱର ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡରେ ପହଞ୍ଚି ଅଟୋ ଖୋଜୁଥିବା ବେଳେ ସଂପୃକ୍ତ ଅଟୋଚାଳକ ଜଣକ ତାଙ୍କୁ ଚିହ୍ନିପାରି ସ୍ଥାନୀୟ ଲୋକଙ୍କ ଏବଂ ଅନ୍ୟ ଅଟୋ ଚାଳକଙ୍କୁ ଡାକ ପକାଇଥିଲେ। ସମସ୍ତଙ୍କୁ ଧରି ଅଟକ ରଖାଯିବା ସହ ସହଦେବଖୁଣ୍ଟା ଆଦର୍ଶ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ସେମାନଙ୍କଠାରୁ ୫ ହଜାର ୪୦୦ ଟଙ୍କା ଜବତ କରିବା ସହ ଥାନାକୁ ନେଇଯାଇଥିଲା। ତେବେ ଜବତ ନୋଟ୍ଗୁଡ଼ିକ ମଧ୍ୟରୁ ୪ଟି ୧୦୦ ଟଙ୍କିଆ ନୋଟ୍ ନକଲି ସଂଦେହ ହେଉଥିବା ଆଇଆଇସି ଶୁଭେନ୍ଦୁ ଶେଖର ନାୟକ କହିଛନ୍ତି। ତେବେ ସେଗୁଡ଼ିକୁ ଯାଞ୍ଚ୍ ପାଇଁ ରିଜର୍ଭ ବ୍ୟାଙ୍କକୁ ପଠାଯିବ। ନକଲି ବୋଲି ପ୍ରମାଣିତ ହେଲେ ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଅଭିଯୁକ୍ତମାନେ ନକଲି ଟଙ୍କା କାରବାର ସହ ସେମାନଙ୍କର କୌଣସି ସମ୍ପୃକ୍ତି ନଥିବା ଗଣମାଧ୍ୟମ ଆଗରେ କହିଛନ୍ତି।
ନକଲି ଟଙ୍କା କାରବାର:ସଂଦେହରେ ୩ ଅଟକ
/sambad/media/post_attachments/wp-content/uploads/2018/12/bls6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)