ନୂଆ କୃଷି ଆଇନ୍‌ ସଂପର୍କରେ ଭ୍ରମିତ କରୁଛନ୍ତି ବିରୋଧୀ, ବାଲେଶ୍ବରରେ ବିଜେପିର ବିଶାଳ କୃଷକ ସମାବେଶ

ବାଲେଶ୍ବର: କୃଷକମାନଙ୍କୁ ହକ୍‌ ଦେବା ପାଇଁ ମୋଦୀ ସରକାର ନୂଆ କୃଷି ଆଇନ୍‌ ଆଣି‌ଲେ। ଏ ବିଷୟରେ ବାରମ୍ବାର ଆଲୋଚନା, ବିଚାରବିମର୍ଶ ବି ହୋଇଛି। ହେଲେ ବିରୋଧୀ ଦଳଗୁଡ଼ିକ ଏହି ଆଇନ୍ ସଂପର୍କରେ ଚାଷୀଙ୍କୁ ଭ୍ରମିତ କରୁଛନ୍ତି। ତେବେ ଯେତେ ଚକ୍ରାନ୍ତ କରି ଚାଷୀଙ୍କୁ ଭୁଆଁ ବୁଲାଇଲେ ବି ତାହା ବ୍ୟର୍ଥ ହେବ। ମଙ୍ଗଳବାର ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ାହାଟ ପଡ଼ିଆରେ ଅନୁଷ୍ଠିତ ବିଜେପି କୃଷକ ମୋର୍ଚ୍ଚାର ବିଶାଳ ଚାଷୀ ସମାବେଶରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଶ୍ରୀ ଷଡ଼ଙ୍ଗୀ କହିଲେ, ପ୍ରଧାନମନ୍ତ୍ରୀ ଡାଇରେକ୍ଟ ବେନିଫିଟ୍‌ ସ୍କିମ୍‌ରେ ଯେଉଁ ଟଙ୍କା ଦିଆଗଲା ତାହା ଠିକ୍‌ ଭାବେ ଲୋକଙ୍କ ନିକଟରେ ପହଞ୍ଚୁଛି। ହେଲେ ରାଜ୍ୟ ସରକାରଙ୍କ ଜରିଆରେ ଯାହା ଦିଆଯାଉଛି, ସେଥିରେ ବାଧକ କିଏ ସାଜିଛି? ମଣ୍ଡିରେ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଟଙ୍କା ଯୋଗାଇ ଦେଉଥିବା ବେଳେ ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଛି। କଟ୍‌ନିଛଟ୍‌ନି ଆଳରେ ଚାଷୀର ଧାନ ଓ ଟଙ୍କା କିଏ ଲୁଟୁଛି? ଚିଟ୍‌ଫଣ୍ଡ ଏଜେନ୍ସିମାନଙ୍କୁ କିଏ ସହଯୋଗ କରୁଛି? ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନାରେ ଆସିଥିବା କୋଟିକୋଟି ଟଙ୍କା ଗଲା କୁଆଡେ? କାଳିଆ ଯୋଜନାର ସ୍ଥିତି କଣ? କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଆଦି ସବୁ କ୍ଷେତ୍ରରେ ବିକାଶ ଲାଗି କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ସେଥିରେ କେଁ ପୂରାଯାଉଛି। ଓଡ଼ିଶାବାସୀ ଏବେ ଜାଗ୍ରତ ହେଲେଣି। ସେମାନେ ଜବାବ ମାଗିବା ଆରମ୍ଭ କଲେଣି। ତେଣୁ ନୂଆ କୃଷି ଆଇନ୍‌ ବିଷୟରେ କୃଷକ ଓ ଜନସାଧାରଣଙ୍କୁ ସଚେତନ କରିବାକୁ ବିଜେପି ଅଭିଯାନ ଆରମ୍ଭ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ।

କୃଷକ ମୋର୍ଚ୍ଚାର ଏହି ସମାବେଶ ଓଡ଼ିଶାରେ ୫ଟି ଜୋନ୍‌ରେ ହୋଇ ସାରିଥିବା ବେଳେ ଆଜି ବାଲେଶ୍ବରରେ ଶେଷ ସମାବେଶ ଅନୁଷ୍ଠିତ ହୋଇଥିଲା। ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ.ଶମ୍ଭୁକୁମାର, ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ବର ସାହୁ, ପୂର୍ବତନ ମନ୍ତ୍ରୀ ମ‌ନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ବିଧାୟକ ମୋହନ ଚରଣ ମାଝୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପଦ୍ମଲୋଚନ ପଣ୍ଡା, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ ବି‌ଜେପି ପ୍ରବକ୍ତା ତଥା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଡାକ୍ତର ବୁଢ଼ାନ୍‌ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ପୂର୍ବତନ ସାଂସଦ ଅନନ୍ତ ନାଏକ, ଭଦ୍ରକର ବିଜେପି ନେତା ଅଭିମନ୍ୟୁ ସେଠୀ, ରାଜ୍ୟ ଉପସଭାପତି ସୁକେଶୀ ଓରାମ, ‌ରାଜ୍ୟ ସମ୍ପାଦକ ନବୀନ ରାମ, ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା, କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ବାରିପଦା ସଭାପତି କାନ୍ଦରା ସୋରେନ୍‌, ଯୁବନେତା ମାନସ କୁମାର ଦତ୍ତ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜୟନାରାୟଣ ମହାନ୍ତି, ଅଂଶୁମାନ ମହାନ୍ତି, ରାକେଶ ମଲ୍ଲିକ, ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ବଦ୍ରିନାରାୟଣ ଧଳ, ଡ.ପ୍ରଦୀପ ନାୟକ, ଆଲୋକ କୁମାର ସେଠୀ, ମୁରଲୀ ମନୋହର ଶର୍ମା, ସୁଗୁଡ଼ା ମୁର୍ମୁ, ମହେନ୍ଦ୍ର ଦାସ, ସୁରଥ ମିଶ୍ବାଳ, ଭବାନୀଶଙ୍କର ନାଏକ, କୃଷକ ମୋର୍ଚ୍ଚା ଉପସଭାପତି ବିପିନ ବିହାରୀ ଦାସ, ରଂଜନ ମଙ୍ଗରାଜ, ଏଆଇସିଆର୍‌ ନିର୍ଦେଶିକା ମନୀଷା ଚିନ୍ମୟୀ ବେହେରା‌ ପ୍ରମୁଖ ମଞ୍ଚାସୀନ ଥିଲେ। ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ କୃଷକ ନେତା ପର୍ଶୁରାମ ପରିଡ଼ା ଧନ୍ୟବାଦ ଦେଇଥିଲେ। ଏହି ସଭାରେ ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଏବଂ ବାଲେଶ୍ବର ଜିଲ୍ଲାରୁ ବହୁସଂଖ୍ୟାରେ କୃଷକମାନେ ଏକାଠି ହୋଇଥିଲେ।

ସମ୍ବନ୍ଧିତ ଖବର