ଜଳେଶ୍ଵର: ପ୍ରତିକୂଳ ପାଗ ଯୋଗୁଁ ଚିନ୍ତାରେ ଜଳେଶ୍ଵର ଚାଷୀ। ଗତ ଜୁଲାଇ ମାସରେ ଚାଷକାମ ପାଇଁ ୩୧୭ ଏମଏମ ବର୍ଷାର ଆବଶ୍ୟକତା ଥିବାବେଳେ ମାତ୍ର ୧୮୮ ଏମଏମ ବର୍ଷା ହୋଇଥିଲା। ଅଗଷ୍ଟ ମାସରେ ୩୪୮ ଏମଏମ ବର୍ଷା ର ଆବଶ୍ୟକତା ଥିବାବେଳେ ୧୬୯ ଏମଏମ ବର୍ଷା ହୋଇଥିଲା। ସେପ୍ଟେମ୍ବର ମାସରେ ୩୨୮ ଏମଏମ ବର୍ଷାର ଆବଶ୍ୟକତା ଥିବାବେଳେ ୨୭୪ ଏମଏମ ବର୍ଷା ହୋଇଥିଲା। ନିଅଣ୍ଟିଆ ବର୍ଷା ଯୋଗୁଁ ଉଚ୍ଚ ଜମିଗୁଡିକ ଫାଟି ଫସଲ ପ୍ରଭାବିତ ହୋଇଥିଲା। ଜମି ଶୁଖିଲା ଯୋଗୁଁ ରୋଗପୋକର ପ୍ରାଦୁର୍ଭାବ ମଧ୍ୟ ବଢିଯାଇଥିଲା। ଫଳରେ ଜମି ଫାଟିଥିବା ସ୍ଥାନରେ ଚାଷୀ ପାଣି ମଡାଇବା ସହ କୀଟନାଶକ ଓାୖଷଧ ସିଞ୍ଚନ ପାଇଁ ଖର୍ଚ୍ଚାନ୍ତ ହୋଇଥିଲା।

Advertisment

publive-image

ଏପରି ସ୍ଥଳେ ଚଳିତ ଅକ୍ଟୋବର ମାସରେ ୧୭୭ ଏମଏମ ବର୍ଷାର ଆବଶ୍ୟକତା ଥିବାବେଳେ ଆଜି ପାଞ୍ଚ ତାରିଖ ସୁଦ୍ଧା ତାଠାରୁ ଯଥେଷ୍ଟ ଅଧିକ ଅର୍ଥାତ୍ ୨୧୯ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୩୧ ଦିନର ବର୍ଷା ମାତ୍ର ୪ ଦିନରେ ହୋଇଥିବାରୁ ସବୁଆଡେ ଜଳାର୍ଣ୍ଣବ ପରିସ୍ଥିତି। ଉଦବୃତ୍ତ ବର୍ଷା ଜଳ ଯୋଗୁଁ ବ୍ଲକର ଝାଡପିପଳ,ବାଇଗଣବାଡିଆ,ଖୁଲୁଡା,ଖାଲିନା,ନାମ୍ପୋ, ସମ୍ପତ୍ତିଆ,ସୁଗୋ ଓ ନେତୁଆ ଆଦି ୮ ଟି ପଞ୍ଚାୟତରେ ଦୟନୀୟ ଅବସ୍ଥା। ଫଳରେ ଏସବୁ ପଞ୍ଚାୟତରେ ୯୧୮ ହେକ୍ଟର ଧାନ ଜମି ଏବେବି ପାଣିରେ ବୁଡ଼ି ରହିଛି ବୋଲି ଜଳେଶ୍ଵର ବ୍ଲକ କୃଷି ସମ୍ପ୍ରସାରଣ ଅଧିକାରିଣୀ ରାଜଲକ୍ଷ୍ମୀ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବ୍ଲକ ପ୍ରଶାସନ ର ରିପୋର୍ଟ ଅନୁଯାୟୀ ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ଆରୁହା, ନେତୁଆ,ସମ୍ପତ୍ତିଆ ଓ ନାମ୍ପୋ ଆଦି ପଞ୍ଚାୟତର ୧୪ଟି ଗାଁର ବହୁ ଅଞ୍ଚଳ ଓ ସାହି ଏବେବି ଜଳବନ୍ଦୀ ହୋଇ ରହିଛି। ଆରୁହା ଓ ନେତୁଆ ପଞ୍ଚାୟତର ୨୭୧ ଜଣକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ଦୁଇଦିନ ଧରି ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।