ଭୋଗରାଇ: ଦୀର୍ଘଦିନର ଦାବି ପୂରଣ ହୋଇଛି। ପାନଚାଷକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାର ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ପାନଚାଷୀ ଉପକୃତ ହେବେ ବୋଲି କୁହାଯାଇଛି। ଉକ୍ତ ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ସମବାୟ ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
ଯୋଜନା କାର୍ଯ୍ୟକାରୀ ହେଲେ ପାନଚାଷୀଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ମିଳିବ। ୨୦୦ ବା ଏହାଠାରୁ ଅଧିକ ବର୍ଗମିଟର ପରିଧିବିଶିଷ୍ଟ ପାନବରଜ କରିଥିବା ଚାଷୀମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ। ୟୁନିଟ୍ ପିଚ୍ଛା ୨,୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଜଣେ ଚାଷୀ ସର୍ବାଧିକ ଦୁଇଟି ୟୁନିଟ୍ ପାଇଁ ସହାୟତା ପାଇବେ। କିଷାନ କ୍ରେଡିଟ୍ କାର୍ଡ ଜରିଆରେ ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଯୋଗାଯିବ। ସେହିପରି ପାନପତ୍ର ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ସବ୍ସିଡି ବ୍ୟବସ୍ଥା ହେବ। ଏନେଇ ଆପିକଲ୍ ପକ୍ଷରୁ ଏକ ଡିପିଆର୍ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖ ଥାଉକି ରାଜ୍ୟର ବିଭିନ୍ନ ଅଞ୍ଚଳର ଲକ୍ଷ ଲକ୍ଷ ପାନଚାଷୀ, ବିଶେଷ କରି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ର ପ୍ରାୟ ୩୦ ହଜାର ପାନଚାଷୀ ବର୍ଷ ବର୍ଷ ଧରି ସରକାରୀ ସହାୟତା ପାଇଁ ଦାବି କରିଆସୁଥିଲେ। ଦାବି ପୂରଣ ହେଉ ନଥିବାରୁ ଅନେକେ ପାନ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନଥିଲେ। ତେବେ ସରକାରଙ୍କ ଏହି ଘୋଷଣା ପରେ ସେମାନେ ଖୁସିବ୍ୟକ୍ତ କରିଛନ୍ତି। ଏହା ସହିତ ଭୋଗରାଇ ପାନଚାଷୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲା ପାନଚାଷ: ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା
ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
/sambad/media/post_attachments/wp-content/uploads/2023/09/bls-v-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)