ବାଲେଶ୍ବର: ଧାନ, ପାନ ଓ ମୀନ ଚାଷ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲା ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଉନ୍ନତମାନର ବିହନ, ଜ୍ଞାନକୌଶଳର ତାଲିମ ଓ ଗବେଷଣା ଅଭାବରୁ କାଳକ୍ରମେ ଏହି ଚାଷ ଚାଷୀଙ୍କୁ ବହୁ ସମୟରେ କ୍ଷତି‌ରେ ପକାଉଛି। ଅତ୍ୟାଧୁନିକତା ଜ୍ଞାନକୌଶଳ ଭିତରେ ବହୁ ପାରମ୍ପରିକ ଚାଷ ଲୋପ ପାଇବାକୁ ବସିଲାଣି। ଚାଷରୁ ଚାଷୀ କିପରି ଫାଇଦା ପାଇବେ ଏହାକୁ ଗୁରୁତ୍ବ ଦେଇ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଉଦ୍ୟମରେ ଓଡ଼ିଶାରେ ପ୍ରଥମ କରି ୨୦୨୨ ମସିହାରେ ଆରମ୍ଭ କରିଥିଲା ଗବେଷଣା। ଏଥିପାଇଁ ବିଶ୍ବବିଦ୍ୟାଳୟ ପରିସରରେ ଧାନ, ପାନ ଓ ମୀନ ଚାଷ କରାଯାଉଛି। ଯାହା ଦ୍ବାରା ‌ଚାଷୀ ବେଶ୍‌ ଉପକୃତ ହେଉଥିବା ଜଣାପଡ଼ିଛି।
ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ୧ ଏକର ଜାଗାରେ ଧାନ ଚାଷ ହେଉଥିବା ବେଳେ ୬ଟି ମାଛ ପୋଖରୀ ଓ ୨ଟି ପାନ ବରଜ ତିଆରି ହୋଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ଉନ୍ନତମାନର ପାରମ୍ପରିକ ଧାନ ସହ ବିଭିନ୍ନ ପ୍ରଜାତିର ପାନ ଓ ମାଛ ଚାଷ ହୋଇଛି। ପରିବେଶ ଉପଯୋଗୀ ତଥା ବନ୍ୟା ଓ ମରୁଡ଼ି ଅଞ୍ଚଳ ଉପଯୋଗୀ ଧାନ ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯିବ ଏବଂ ଅଧିକ ଉତ୍ପାଦନ କ୍ଷେତ୍ରରେ ଏହି ଗବେଷଣା ଚାଷୀଙ୍କୁ ସହାୟକ ହେବ। କ୍ଷେତରେ ଶ୍ରୀମତୀ, ସନ୍ଥଭୀମ, ମଉଡ଼ମଣି, ଲୁଣା ସୁବର୍ଣ୍ଣା, ଲୁଣିଶ୍ରୀ, ପିମ୍ପୁଡ଼ିବସା, ଲୁଣା ସଂପଦା ପରି ୩୨ ପ୍ରକାରର ଧାନ ଚାଷ ହେଉଥିବା ବେଳେ ୨୭୫ କିସମର ବିହନ ବିଭିନ୍ନ ରାଜ୍ୟରୁ ସଂଗ୍ରହ ହୋଇଛି। ବର୍ଷରେ ଦୁଇ ଥର ଚାଷ କରାଯାଉଛି। ଚାଷୀଙ୍କୁ ଏ ବାବଦରେ ପ୍ରଶିକ୍ଷଣ ବି ଦିଆଯାଉଛି। ସେହିପରି ବିଶ୍ବବିଦ୍ୟାଳୟ ପରିସରରେ ପାନ ବରଜରେ ଚନ୍ଦ୍ରକଣା, ବାଲିପାନ, ବୀରକୁଳି ପାନ, ହଳଦୀପାନ, ଦେଶୀ, ଆଇମା, ନିଆଳି, ଯୁଗୁଡ଼ି, ଗୁଣ୍ଠୁଣି, ଭଇଁଚିଙ୍ଗୁଡ଼ି ପରି ୨୦ ପ୍ରଜାତିର ପାନ ଚାଷ ହେଉଛି। ଖାଲି ପାନ ଖାଇବା ପାଇଁ ନୁହେଁ, ପାନପତ୍ର ଗୁଣ୍ଡ, ପାନତେଲ ପ୍ରସ୍ତୁତି ସହ ପାନରୁ ପ୍ରସାଧନ ସାମଗ୍ରୀ ଓ ଔଷଧୀୟ ଗୁଣ ସଂପର୍କରେ ଲୋକାଭିମୁଖୀ ଗବେଷଣା ଜାରି ରହିଛି। ନିକଟରେ ପାନରୁ ତେଲ ବାହାର କରି ରେଭେନ୍ସା ବିଶ୍ବବିଦ୍ୟାଳୟକୁ ପଠାଯାଇଛି। ସେମିତି ମାଛ ପୋଖରୀରେ ରୋହି, ଭାକୁର, ଇଲିସି, ମିରିକାଳି ପରି ବହୁ ପ୍ରଜାତିର ୩୦୦୦ରୁ ଅଧିକ ମାଛ ରହିଛି। ଗବେଷଣା ସହ ଉନ୍ନତ ପ୍ରଣାଳୀରେ ମାଛଚାଷ ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଉଛି।
ବିଶ୍ବବିଦ୍ୟାଳୟ ପକ୍ଷରୁ ସିଫା ସହ ଚୁକ୍ତି ହୋଇ ଜୀବ ବିଜ୍ଞାନ ଓ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରଫେସର ଭାସ୍କର ବେହେରା ଓ ତାଙ୍କ ଟିମ୍‌ ମାଛ ଉପରେ ଗବେଷଣା କରୁଥିବା ବେଳେ ଧାନ ଉପରେ ଗବେଷଣା ପାଇଁ ସିଆରଆରଆଇ ସହ ଚୁକ୍ତି ହୋଇ ଏହି ବିଭାଗର ପ୍ରଫେସର ଏଲ୍‌ଶା ପଣ୍ଡିତ ଓ ତାଙ୍କ ଟିମ୍‌ ଗବେଷଣା କରୁଛନ୍ତି। ସେହିପରି ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ଓ ତାଙ୍କ ଟିମ୍‌ ପାନ ଉପରେ ଗବେଷଣା କରୁଛନ୍ତି। ଚାଷୀଙ୍କ ଫାଇଦା ଉଦ୍ଦେଶ୍ୟରେ ଏହି ଗବେଷଣା ଜାରି ରହିଛି। ଏ ସଂପର୍କରେ କୁଳପତି ପ୍ରଫେସର ତ୍ରିପାଠୀ କହିଛନ୍ତି, ଚାଷୀଙ୍କ ଫାଇଦା ପାଇଁ ଏହି ଗବେଷଣା ଚାଲିଛି। ଏଥିରେ ୬ ଜଣ ଗବେଷକ କାମ କରୁଛନ୍ତି। ଆଗାମୀ ୬ ମାସ ଭିତରେ ଆମେ ଆହୁରି ଅଧିକ କିଛି କରିବୁ।