କଟକ-ବାଲେଶ୍ୱର ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ, ୨୦ରୁ ଉର୍ଦ୍ଧ୍ୱ ଆହତ

କଟକ/ବାଲେଶ୍ୱର: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଓ ବାଲେଶ୍ୱର-ମୟୁରଭଞ୍ଜ ଜିଲ୍ଲାର ସୀମାରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହେବାରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଗୁଡ଼ା ଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନସ୍‌ଫରମର୍‌ ଉଦ୍‌ଘାଟନ ପୂର୍ବରୁ ଶାସକ ବିଜେଡ଼ି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଫଳରେ ୫ଜଣ ଆହତ ହୋଇଛନ୍ତି। ଏଠାରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଦ୍ୱାରା ୩୩X୧୧ କେଭି ଟ୍ରାନ୍ସଫରମ ଉଦ୍‌ଘାଟନ ହେବାର ଥିଲା। ଉଦ୍‌ଘାଟନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରାଙ୍କ ସମର୍ଥକ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ଫଳରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।

ସେହିପରି ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ସୀମାରେ ଥିବା ବାଙ୍କତୀର-କଲମା ଠାରେ ଗୋଷ୍ଠୀ ସଙ୍ଘର୍ଷ ହେବାରୁ ୧୫ଜଣ ଆହତ ହୋଇଛନ୍ତି। ଯାତ୍ରା ଦେଖାକୁ କେନ୍ଦ୍ରକରି ଜାନୁଆରୀ ୧୪ରେ ହୋଇଥିବା ଗଣ୍ଡଗୋଳ ମଙ୍ଗଳବାର ସକାଳୁ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ସୂଚନା ପାଇ ପୁଲିସ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ଏଏସ୍‌ଆଇ ରାଜେନ୍ଦ୍ର ନାଏକ ଓ ଜିପ୍‌ ଚାଳକ ଦୀଲିପ ଜେନାଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 

ଲୋକେ ପୁଲିସର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ବାଲେଶ୍ୱର ଜିଲ୍ଲାର ବାଙ୍କତୀର ଓ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଲମା ଗାଁର ଲୋକଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବାରୁ ଉଭୟ ଜିଲ୍ଲାର ଏସ୍‌ପି ଘଟଣାସ୍ଥଳକୁ ପହଞ୍ଚିଥିଲେ। କିନ୍ତୁ ତା’ପୂର୍ବରୁ ଲୋକମାନେ ରାସ୍ତାରୋକ କରିଥିବାରୁ ପୁଲିସ ଲାଠିଚାଲନା କରିବା ସହିତ ୧୦ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର