ଭୋଗରାଇ: କମର୍ଦ୍ଦା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ୫ ଦୋକାନ

ଭୋଗରାଇ: ଆଜି ଭୋର୍‌ ସମୟରେ ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପାଞ୍ଚଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଜଳେଶ୍ୱର ଓ ଭୋଗରାଇରୁ ଦୁଇଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରୁଛନ୍ତି। ଅଗ୍ନିକାଣ୍ଡର କାରଣ କିଛି ଜଣାପଡ଼ିନାହିଁ।
ମିଳିଥିବା ସୂଚନା ଅନୁସାରେ ୫୭ ନମ୍ବର ଜାତୀୟ ରାଜପଥର କମର୍ଦ୍ଦା ବଜାର ଛକରେ ପରସ୍ପରକୁ ଲାଗି ଦୁଇଟି ଫଳ ଦୋକାନ ଓ ତିନିଟି ଜଳଖିଆ ଦୋକାନ ରହିଛି। ଆଜି ଭୋରରୁ କୌଣସି କାରଣରୁ ଗୋଟିଏ ଦୋକାନରେ ହଠାତ୍‌ ନିଆଁ ଲାଗିଯିବା ଫଳରେ ଦ୍ରୁତଗତିରେ ନିଆଁ ଅନ୍ୟ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରଥମେ ୩ଟି ଗ୍ୟାସ୍‌ ଟାଙ୍କି ଲଗାତାର ଫାଟିଥିଲା। ଫଳରେ ଭୟଭୀତ ହୋଇ କେହି ନିଆଁ ଲିଭାଇବାକୁ ସେଠାକୁ ଯାଇନଥିଲେ। ସେପଟେ ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜଳେଶ୍ୱର ଓ ଭୋଗରାଇରୁ ଆସିଥିବା ଦୁଇଟି ଦମକଳ ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ନନୀ ସିଂ, ମିଟୁ ସିଂର ଫଳଦୋକାନ ଏବଂ ପଲଟୁ ସୁର, ରାମହରି ସୁର ଓ ପୀଲୁ ସୁରଙ୍କ ଜଳଖିଆ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର