ଖଇରା: ଖଇରା ତହସିଲ ବଡ଼ନୂଆଗାଁ ପଞ୍ଚାୟତ ଅଧିନ ଗେଙ୍ଗୁଟିଆ ଗାଁରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଅନାମ ଚରଣ ଜେନାଙ୍କ ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଗତ ରାତିରେ ଅନାମ ଚରଣ ଜେନା ଦୁଇ ନାତି ଓ ଝିଅଙ୍କ ସହ ଖାଇସାରି ଘରେ ଶୋଇଥିବା ସମୟରେ ତାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲ। ଘରଟି ଜଳିବାରୁ ଗ୍ରାମବାସୀମାନେ ଦେଖି ପରିବାର ଲୋକଙ୍କୁ ଡାକିବା ସହିତ ଖଇରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ହେଲେ ଖଇରା ଅଗ୍ନିଶମ ଗାଡି ଖରାପ ହୋଇଛି ବୋଲି କହି ଘଟଣାସ୍ଥଳରେ ପହଞ୍ଚିନଥିଲା

Advertisment

ପରେ ଆଗରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ନଗଦ ୭ ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

ଏହି ଗାଁରେ ପୂର୍ବରୁ ଦୁଇ ଥର ନିଆଁ ଲାଗିଥିଲା। ସେହି ସମୟରେ ମଧ୍ୟ ଖଇରା ଅଗ୍ନିଶମ ବିଭାଗ ଗାଡି ଖରାପ କହି ବିଳମ୍ବରେ ପହଞ୍ଚିଥିଲା। ଆଜି ଯଦି ଆଗରପଡ଼ା ଅଗ୍ନିସମ ବଦଳରେ ଖଇରା ଅଗ୍ନିଶମ ଆସିପାରିଥାନ୍ତା ତାହେଲେ ଘରର କିଛି ଅସବାଵପତ୍ର ବଞ୍ଚି ଯାଇଥାନ୍ତା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।