କୁଳଢିଆ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ୩ ଫେରାର, ୧୦ କେଜି ହରିଣମାଂସ ଓ ମୁଣ୍ଡ ଜବତ

ନୀଳଗିରି: ବୁଧବାର ପାହାନ୍ତାରେ କୁଳଢିଆ ଅଭୟାରଣ୍ୟରୁ ୮ ଜଣ ଶିକାରୀଙ୍କ ଠାରୁ ୧୦ କିଲୋରୁ ଊର୍ଦ୍ଧ୍ୱ ହରିଣ ମାଂସ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି।
ସମ୍ପୃକ୍ତ ଶିକାରୀମାନେ ହରିଣ ଶିକାର କରି ଫେରୁଥିବା କଥା ବିଶ୍ୱସ୍ତସୂତ୍ରରୁ ଖବର ପାଇ କୁଳଢିଆ ଫରେଷ୍ଟର୍‌ ପରମାନନ୍ଦ ନାୟକ, ଝରଣାଘାଟୀ ଫରେଷ୍ଟର୍‌ ସୌମ୍ୟରଞ୍ଜନ ମାଝୀ, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଉମାକାନ୍ତ ଜେନା, ଫରେଷ୍ଟ ଗାର୍ଡ ସାମରାଇ ସିଂ, ରାମେଶ୍ୱର ମୁର୍ମୁଙ୍କ ସହ ସବୁଜ ବାହିନୀ ଅକସ୍ମାତ ଚଢ଼ାଉ କରି କୁଳଢିଆ ବିଟ୍‌ ହାଉସ୍‌ ଅଦୂରସ୍ଥ ସିନ୍ଦୂରଗୌରା ନିକଟରେ ଶିକାରୀମାନଙ୍କୁ ଧରିଥିଲେ।

ଗିରଫ ଶିକାରୀମାନେ ହେଲେ ତେଣ୍ଡା ଗ୍ରାମର ଜୁଣିଆ ସିଂଙ୍କ ୪୫ ବର୍ଷିୟ ପୁଅ ସାଇବ ସିଂ ଏବଂ ଗୌତମ ସିଂହଙ୍କ ୨୮ ବର୍ଷିୟ ପୁତ୍ର ବୁଦ୍ଧିରାମ ସିଂହ। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୦ କିଲୋ ହରିଣମାଂସ, ଗୋଟାଏ ହରିଣ ମୁଣ୍ଡ ଜବତ କରାଯାଇଛି। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଅନ୍ୟ ଶିକାରୀମାନେ ଖସି ପଳାଇଛନ୍ତି।
ଏହଛଡ଼ା ତେଣ୍ଡା ବିଟ୍‌ ହାଉସ୍‌ ପାଖରୁ ବନକର୍ମଚାରୀମାନେ ଶିମୁଳି ଗ୍ରାମର ଗୁରୁବା ସିଂଙ୍କ ୪୫ ବର୍ଷିୟ ପୁତ୍ର ହାଡୁ ଓ ବଡ଼ନାଳ ଗ୍ରାମର ଦେବେନ୍ଦ୍ର ସିଂହଙ୍କ ପୁତ୍ର ୩୩ ବର୍ଷିୟ ଟେମ୍ପଙ୍କୁ ଗିରଫ କରି ତାଙ୍କ ଠାରୁ ଯଥାକ୍ରମେ ଗୋଟାଏ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରିଛନ୍ତି।

ବାଲିଆନାଳ ବିଟ୍‌ ହାଉସ୍‌ ଅନ୍ତର୍ଗତ ଶୀତଳବାଙ୍କ ପୋଖରୀ ନିକଟରୁ ବୁଦ୍ଧୁସାହି ଗ୍ରାମର ସତ୍ୟବାନ ସିଂଙ୍କ ୫୩ ବର୍ଷିୟ ପୁତ୍ର ରୁପା ମଧ୍ୟ ଗିରଫ କରାଯାଇଛି। ତାଙ୍କ ଠାରୁ ଧନୁତୀର ଓ ଗୋଳାବାରୁଦ ଜବତ କରାଯାଇଛି।

ଫେରାର ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର