ବାଲେଶ୍ବର : ହଜାର ହଜାର ହେକ୍ଟରରେ ଜମିରେ ଉଜୁଡ଼ିଲା ଚାଷ

ବାଲେଶ୍ବର : ଗୋଟିଏ ପଟେ ମହାମାରୀ କରୋନା କଟକଣା, ଅନ୍ୟପଟେ ନିଅଣ୍ଟିଆ ବର୍ଷା। ଫଳରେ ବାଲେଶ୍ବର ଜିଲ୍ଲାରେ ଚଳିତବର୍ଷ ବିଳମ୍ବରେ ଧାନଚାଷ ଆରମ୍ଭ ହୋଇଥିଲା। ଧାନ ଗଛ ଟିକେ ବଢ଼ିବା ବେଳକୁ ବନ୍ୟା ପାଣି ସବୁକିଛି ଉଜାଡ଼ି ଦେଇ ଚାଷୀଙ୍କ ଆଶା ଭରସା ଭାଙ୍ଗି ଚୁରମାର କରିଦେଇଛି। କିଛିମାସ ପୂର୍ବରୁ ଅମ୍ଫାନ ବାତ୍ୟାରେ ରବିଚାଷ ଉଜୁଡ଼ିଥିବା ବେଳେ ଏବେ ବନ୍ୟାରେ ଚାଷ ଉଜୁଡ଼ିଯିବା ଦେଖି ଧୈର୍ଯ୍ୟହରା ହୋଇପଡ଼ିଥିବା ଦେଖିବାକୁ ମିଳିଛି।

ଜିଲ୍ଲାରେ ୨୦୨୦ ଖରିଫ ଋତୁରେ ୨ଲକ୍ଷ ୧୭ହଜାର ୫୩୩ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ତେବେ ଗତ ସପ୍ତାହରେ ହୋଇଥିବା ଲଘୁଚାପ ଜନିତ ବର୍ଷା‌ରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଏହି ଉପକୂଳରେ ରହିଥିବା ଭୋଗରାଇ, ଜଳେଶ୍ବର, ବାଲିଆପାଳ, ବସ୍ତା, ସଦର, ରେମୁଣା, ନୀଳଗିରି ଆଦି ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଥିଲା। ଏବେ ନଦୀର ଜଳସ୍ତର କମିଥିଲେ ହେଁ ‌ଖାଲୁଆ ଅଞ୍ଚଳରେ ଚାଷ ଜମିଗୁଡ଼ିକ ବୁଡ଼ି ଗଛ ପଚି ନଷ୍ଟ ହୋଇଗଲାଣି। ବନ୍ୟା ଛାଡ଼ିଯିବା ଅନେକ ଜମିରେ ଧାନଗଛ ସମ୍ପୂର୍ଣ୍ଣ ଧୋଇ ଯାଇଥିବା‌ ଦେଖାଯାଇଛି। ସଦର ବ୍ଲକର ଫୁଲାଡ଼ି, ନଗ୍ରମ, ବୁଆଁଳ, ଗୋପୀନାଥପୁର, ସିନ୍ଧିଆ, ରଘୁନାଥପୁର, ପରିଖି, କୁରାଢିହା, ନୀଳଦା ଭଳି ୯ଟି ପଞ୍ଚାୟତ‌ର ପ୍ରାୟ ୧୦୦ ଗ୍ରାମରେ ୪୫୯୫ ହେକ୍ଟରରୁ ଅଧିକ ଜମି ବନ୍ୟାରେ ପ୍ରଭାବିତ ହୋଇଛି। ସେହିପରି ବସ୍ତା ବ୍ଲକରେ ୧୧ରୁ ଅଧିକ ପଞ୍ଚାୟତର ୭୨ଟି ଗ୍ରାମରେ ୨୭୩୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ‌ତନ୍ମଧ୍ୟରୁ ରଘୁନାଥପୁର, ଗଡ଼ସାହି ବାଲିଆପାଳ, ଚୁରମରା, ନାବରା, ତାଡ଼ଦା, କରୁଆ, ସନ୍ତୋଷପୁର, ପାଉଁଶକୁଲି ଓ ଭେଲୋରା ଆଦି ପଞ୍ଚାୟତ ଅଧିକ କ୍ଷତିଗସ୍ତ ହୋଇଥିବା ଜଣାପଡ଼ିଛି। ରେମୁଣା ବ୍ଲକରେ ୨୦ଟି ପଞ୍ଚାୟତର ୧୪୯ ଗାଁ ବନ୍ୟା ପ୍ରଭାବିତ ଥିବା ବେଳେ ପତ୍ରିପାଳ, କଲ୍ୟାଣପୁର, କାଶିମପୁର, ଧରମପୁର, ପତ୍ରିପାଳ, ବାଲିଆ, କଅଁରାଳି, ମନ୍ଦାରପୁର, ଦୁର୍ଗାଦେବୀ, ହାତୀଆଗଣ୍ଡ ଆଦି ପଞ୍ଚାୟତର ପ୍ରାୟ ୫୬୫୯ ହେକ୍ଟର ଚାଷଜମି ଉଜୁଡ଼ିଯାଇଛି। ସେହିପରି ଜଳେଶ୍ବର ବ୍ଲକରେ ୧୭ଟି ପଞ୍ଚାୟତର ୬୩ଟି ଗାଁରେ ୧୬୮୪ ହେକ୍ଟର, ଭୋଗରାଇ ବ୍ଲକର ୨୭ଟି ପଞ୍ଚାୟତର ୧୩୭ଗାଁରେ ୫୩୮୦ ହେକ୍ଟର ଓ ବାଲିଆପାଳରେ ୯ଟି ପଞ୍ଚାୟତର ୫୨ ଗାଁରେ ୧୪୮୯ ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଭାବେ ବନ୍ୟାରେ ବୁଡ଼ି ରହିଥିଲା। ତେବେ ଖାଲି ଧାନ ଚାଷ ନୁହେଁ ବସ୍ତା, ସଦର, ବାଲିଆପାଳ ଓ ରେମୁଣା ବ୍ଲକରେ ହୋଇଥିବା ଶହ ଶହ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ଏହାବାଦ୍‌ ସିମୁଳିଆ, ବାହାନଗା, ସୋର, ଖଇରା, ନୀଳଗିରି ଓ ଔପଦା ବ୍ଲକ କିଛି ଅଞ୍ଚଳ ଲଘୁଚାପଜନିତ ବର୍ଷାରେ ଆଂଶିକ ପ୍ରଭାବିତ ହୋଇଥିବା ବେଳେ ଏ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତିର ସେପରି କୌଣସି ଆକଳନ କରାଯାଇନାହିଁ। ପ୍ରଭାବିତ ହୋଇଥିବା ଅଞ୍ଚଳରେ କ୍ଷୟକ୍ଷତିକୁ ନେଇ ସମସ୍ତ ବ୍ଲକ ପକ୍ଷରୁ ଆକଳନ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି। ଏନେଇ ବିଭିନ୍ନ ଅଞ୍ଚଳକୁ କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗର ଏକ ମିଳିତ ଟିମ୍‌ ଗସ୍ତ କରି କ୍ଷୟକ୍ଷତି ସମୀକ୍ଷା କରିବେ। ସେମାନେ ଆକଳନ କରିବାକୁ ନିର୍ଦେଶ ଦିଆଯାଇଛି। ସେମାନଙ୍କ ଠାରୁ ରିପୋର୍ଟ ଆସିବା ପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।

ସମ୍ବନ୍ଧିତ ଖବର