ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଡାକ୍ତରଖାନା ସମ୍ମୁଖରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବେଆଇନ ନିର୍ମାଣ ହୋଇ ରାସ୍ତା ଅବରୋଧ ହୋଇଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏଥି ସହିତ ବିଭିନ୍ନ ସମୟରେ ଜରୁରୀକାଳୀନ ରୋଗୀଙ୍କ ଆମ୍ବୁଲାନ୍ସ ରାସ୍ତାରେ ଅଟକି ରହିଥିବା ବେଳେ ରୋଗୀଙ୍କୁ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେବାକୁ ପଡ଼ୁଥିଲା।

Advertisment

ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବସ୍ତା ଡାକ୍ତରଖାନା ଅଧୀକ୍ଷକ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ଜବରଦଖଲ ଉଚ୍ଛେଦ ସହିତ ବେଆଇନ ଘରୋଇ ଆମ୍ବୁଲାନ୍ସ ପାର୍କିଂ ହଟାଇବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା। ବସ୍ତା ତହସିଲଦାର ଜବରଦଖଲ ଉଚ୍ଛେଦ ବେଳେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳଙ୍କୁ ଅଧିକ ପୁଲିସ ସହାୟତା ଯୋଗାଇବାକୁ ଚିଠି ନମ୍ୱର୍ ୧୨୮୧ ରେ ଜଣାଇଥିଲେ।

ଆଜି ସକାଳେ ବସ୍ତା ତହସିଲଦାର ଅତନୁ ନାୟକ, ବସ୍ତା ଥାନା ପୁଲିସ , ଓ ଏସ ଟି ଏଫ ଫୋର୍ସ , ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ ବିଭାଗ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାତ୍ର ପୂର୍ବରୁ ସରକାରୀ ସ୍ତରରେ ମାପଚୁପ ହୋଇ ଚିହ୍ନଟ ଜମିରୁ ବେଆଇନ ଦଖଲ ଉଚ୍ଛେଦ ପରିବର୍ତ୍ତେ ସାମାନ୍ୟ ଭଙ୍ଗାରୁଜା କରି ତହସିଲଦାର ବାହା ବାହା ନେଉଥିବା ବସ୍ତା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।