ଜଳେଶ୍ଵର: ରେଳବାଇରେ ଚାକିରି କରାଇଦେବା ନାଁରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗତ ୪ ଦିନ ଭିତରେ ଜଳେଶ୍ଵର ଥାନାରେ ୭ରୁ ଉର୍ଦ୍ଧ୍ବ ଅଭିଯୋଗ ହୋଇଥିବା ଜଣା ପଡିଛି। ଅଭିଯୋଗ ପାଇବା ପରେ ଜଳେଶ୍ଵର ପୁଲିସ ତଦନ୍ତ ଆରମ୍ଭ କରିଛି।
ସିଙ୍ଗଲା ଥାନା ଦୁନ୍ଦକୁଟ ଗ୍ରାମର ହରେକୃଷ୍ଣ ବାରିକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ମାନସ ରଞ୍ଜନ ଡିପ୍ଲୋମା ପାସ କରି ଘରେ ବେକାର ହୋଇ ବସିଥିଲେ‌।୨୦୨୦ ମସିହାରେ ନାଙ୍ଗୁରସାହି ଗ୍ରାମର ପ୍ରଶାନ୍ତ କୁମାର ଜେନାଙ୍କ ସଂସ୍ପର୍ଶରେ ଆସିଥିଲେ ହରେକୃଷ୍ଣ। ପ୍ରଶାନ୍ତଙ୍କ ଭାଇ ଧ୍ରୁବ ଚରଣ ରେଳବାଇରେ ଚାକିରି କରିଥିବାରୁ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରହିଛି। ତେଣୁ ୪ ଲକ୍ଷ ଟଙ୍କା ଦେଲେ ମାନସର ଚାକିରି ହୋଇଯିବ ବୋଲି ପ୍ରଶାନ୍ତ ହରେକୃଷ୍ଣଙ୍କୁ ପ୍ରବର୍ତ୍ତାଇ ତାଙ୍କ ଘରକୁ ଡାକିଥିଲେ। ଆଉ ସେଠାରେ ପ୍ରଶାନ୍ତ ଓ ଧ୍ରୁବ ଚରଣଙ୍କ ସହ ହରେକୃଷ୍ଣଙ୍କର କଥାବାର୍ତ୍ତା ଚୂଡାନ୍ତ ହେବା ପରେ ହରେକୃଷ୍ଣ ପୁଅର ଚାକିରି ବାବଦରେ ନଗଦ ୫୦ ହଜାର
ଟଙ୍କା,୧୫ ହଜାର ଟଙ୍କା ଫୋନପେରେ ଓ ଅବଶିଷ୍ଟ ଟଙ୍କା ଚେକରେ ପ୍ରଦାନ କଲେ।

Advertisment

publive-image

ସେହିପରି ବିଭିନ୍ନ କାଗଜପତ୍ରରେ ମାନସଙ୍କ ଦସ୍ତଖତ ସହ ଫଟୋ ତଥା ଜରୁରୀ କାଗଜପତ୍ର ମଧ୍ୟ ନେଇଥିଲେ। ମାସେ ପରେ ମାନସଙ୍କ ନାମରେ ଭାରତୀୟ ରେଲଓ୍ବେ ମାଲ ଗୋଦାମ ଶ୍ରମିକ ସଂଘର ଏକ ପରିଚୟ ପତ୍ର ପ୍ରଶାନ୍ତ ପ୍ରଦାନ କରିଥିଲେ। ହେଲେ ମାନସଙ୍କ ଚାକିରି ଅଦ୍ୟାବଧି ହୋଇନଥିବା ବେଳେ ପ୍ରଶାନ୍ତ କିମ୍ବା ତାଙ୍କ ଭାଇ ଆଉ ଧରା ଛୁଆଁ ଦେଉନାହାନ୍ତି। କିଛିଦିନ ତଳେ ପ୍ରଶାନ୍ତ ନେଇଥିବା ଟଙ୍କା ଫେରେଇ ଦେବା ପାଇଁ ହରେକୃଷ୍ଣଙ୍କୁ ଏକ ଚେକ ପ୍ରଦାନ କରିଥିଲେ ମଧ୍ୟ ତାହା ବାଉନସ୍ ହୋଇଥିଲା। ହରେକୃଷ୍ଣ ଏନେଇ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ପ୍ରଶାନ୍ତ ଓ ଧ୍ରୁବଚରଣ ଉଭୟ ସମ୍ପୃକ୍ତ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ବାଲିଆପାଳ ଥାନା ତାପଣ୍ଡିଆ ଗ୍ରାମର ଅଜୟ କୁମାର ପ୍ରଧାନ ନାମକ ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ ସେହି ସମାନ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ କୃଷ୍ଣ ଚନ୍ଦ୍ର ଯୁକ୍ତ ଦୁଇ ପାସ କରିଥିବା ବେଳେ ତାଙ୍କର ଚାକିରୀ ହୋଇଯିବ କହି ପ୍ରଶାନ୍ତ ଓ ଧ୍ରୁବଚରଣ ପାଞ୍ଚଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ।ଅଜୟ ବିଭିନ୍ନ କିସ୍ତି ରେ ଏହି ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ଏବେ କୃଷ୍ଣ ଚନ୍ଦ୍ର ଙ୍କୁ ଚାକିରି ମିଳିନାହିଁ କି ଅଭିଯୁକ୍ତ ଦୁଇ ଭାଇ ଟଙ୍କା ମଧ୍ୟ ଟଙ୍କା ଫେରାଉ ନାହାନ୍ତି। ଅଜୟଙ୍କ ଚାପ ପରେ ପ୍ରଶାନ୍ତ ଟଙ୍କା ଫେରାଇ ଦେବେ କହି ଏକ ଲକ୍ଷ ଟଙ୍କାର ଏକ ଚେକ କରିଥିଲେ ମଧ୍ୟ ତାହା ବ୍ୟାଙ୍କ ରେ ଜମା ପରେ ବାଉନସ୍ ସୋଇଯାଇଥିଲା। ଏହା ପରଠାରୁ ଅଜୟ ଟଙ୍କା ମାଗୁଥିବାରୁ ପ୍ରଶାନ୍ତ ବିଭିନ୍ନ ପ୍ରକାରର ଧମକଚମକ ଦେଉଛନ୍ତି। ହରେକୃଷ୍ଣ ଓ ଅଜୟଙ୍କ ଅଭିଯୋଗ ଅନୁଯାୟୀ ଏହି ଦୁଇ ଭାଇଙ୍କ ଦେଖା ସେମାନେ ପାଉନଥିବା ବେଳେ ସେମାନେ ରେଳବାଇରେ ଚାକିରି କରିଦେବେ କହି ଜଳେଶ୍ଵର ସମେତ ବାଲିଆପାଳ,ବସ୍ତା, ମୟୁରଭଞ୍ଜ ଅଞ୍ଚଳର ଅନେକ ବେକାର ଯୁବକ ବିଶେଷ କରି ଛାତ୍ର କିମ୍ବା ସେମାନଙ୍କ ଅଭିଭାବକଙ୍କ ଠାରୁ ଏହିପରି ଟଙ୍କା ଆତ୍ମସାତ କରିଛନ୍ତି। ଏସମ୍ପର୍କରେ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସହ ଯୋଗାଯୋଗ କଲାରୁ ସେ କହିଲେ ମୁଁ ଏସମ୍ପର୍କରେ ପରେ ସୂଚନା ଦେବି।