୩ ଲକ୍ଷ ଟଙ୍କା ପାଇଁ ଶିଶୁକୁ ମୁଣ୍ଡ ଜାମିନ୍‌ : ରାଜସ୍ତାନରୁ ଅପହରଣ; ଅପହର୍ତ୍ତାଙ୍କ ବାପା, ଭାଇ ଅଟକ

ସୋର : ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ମହୁମୁହାଁଣ ଗ୍ରାମର ଜଣେ ଯୁବକ ରାଜସ୍ଥାନ ଯୋଧପୁରରୁ ଜଣେ ବନ୍ଧୁଙ୍କ ଶିଶୁକନ୍ୟାକୁ ଅପହରଣ କରି ନେଇ ଆସିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏ ନେଇ ସୋର ଥାନାରେ ଅଭିଯୋଗ ହେବା ପରେ ସୋର ପୁଲିସ ଅପହର୍ତ୍ତାର ବାପା ଓ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ଏହି ଗ୍ରାମର କରୁଣାକର ନାୟକଙ୍କ ପୁଅ ମୁକ୍ତିକାନ୍ତ କିଛିବର୍ଷ ତଳେ ବିଶାଖାପାଟଣାରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିବାବେଳେ ସେଠାରେ ଅନ୍ୟ ଏକ କମ୍ପାନିରେ ଚାକିରି କରିଥିବା ରାଜସ୍ଥାନ ଯୋଧପୁର ଜିଲା ବାହରାନାଓ ଗ୍ରାମର ବିହାରୀରାମଙ୍କ ସହ ବନ୍ଧୁତା ଗଢ଼ି ଉଠିଥିଲା। ସେଠାରେ ବିହାରୀରାମ ତାଙ୍କ ପତ୍ନୀ ନେହା ଓ ଶିଶୁକନ୍ୟା ଲଭଲି ଓରଫ ରାଧିକାଙ୍କ ସହ ଏକ ଭଡ଼ାଘରେ ରହୁଥିଲେ।

ବର୍ଷକ ତଳେ ବିହାରୀରାମ ବିଶାଖାପାଟଣାର ଚାକିରି ଛାଡ଼ି ରାଜସ୍ଥାନରେ ଥିବା ତାଙ୍କ ପୈତୃକ ଗ୍ରାମକୁ ଚାଲିଯାଇଥିଲେ। ତେବେ ପୂର୍ବ ସଂପର୍କରୁ ମୁକ୍ତିକାନ୍ତ ଓ ବିହାରୀଙ୍କ ମଧ୍ୟରେ ଯୋଗାଯୋଗ ଥିଲା। ଏହାର ସୁଯୋଗ ନେଇ ମୁକ୍ତିକାନ୍ତ ଚଳିତ ମାସ ୭ ତାରିଖରେ ବିହାରୀଙ୍କ ଘରେ ପହଞ୍ଚିଥିଲା। ସେଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେ ଲଭ୍‌ଲିକୁ ଅପହରଣ କରି ଫେରାର ହୋଇଯାଇଥିଲା।

ଲଭ୍‌ଲିକୁ ନପାଇ ବିହାରୀ ଓ ତାଙ୍କ ପତ୍ନୀ ବ୍ୟତିବସ୍ତ ହୋଇ ପଡ଼ିଥିଲେ ଏବଂ ସନ୍ଦେହରେ ମୁକ୍ତିକାନ୍ତ ସହ ମୋବାଇଲରେ ଯୋଗାଯୋଗ କରିଥିଲେ। ମାତ୍ର ତତ୍‌କ୍ଷଣାତ୍‌ ମୁକ୍ତିକାନ୍ତଠାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ। ପରେ ମୁକ୍ତିକାନ୍ତ ନିଜଆଡ଼ୁ ଫୋନ କରି ଲଭ୍‌ଲିକୁ ସେ ନେଇ ଆସିଥିବା କହିବା ସହ ତାକୁ ୩ ଲକ୍ଷ ଟଙ୍କା ମିଳିଲେ ସେ ଲଭଲିକୁ ଛାଡ଼ିବ ବୋଲି କହିଥିଲା। ଏକଥା ପୁଲିସକୁ ଜଣାଇଲେ ଶିଶୁକନ୍ୟାକୁ ମାରିଦେବ ବୋଲି ଧମକ ଦେବା ପରେ ଭୟରେ ଏହି ଅପହରଣ ନେଇ ବିହାରୀ ସ୍ଥାନୀୟ ପୁଲିସରେ ଅଭିଯୋଗ କରିନଥିଲେ।

ତେବେ ଠିକଣା ଖୋଜିଖୋଜି ଶେଷରେ ଗତ ୨୩ ତାରିଖ ପୂର୍ବାହ୍ନରେ ବିହାରୀରାମ ଓ ତାଙ୍କ ପତ୍ନୀ ସୋର ମହୁମୁହାଣସ୍ଥିତ ମୁକ୍ତିକାନ୍ତଙ୍କ ଘରେ ପହଞ୍ଚିଥିଲେ। ମାତ୍ର ଲଭ୍‌ଲିକୁ ନପାଇ ଦମ୍ପତିି ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ଲଭ୍‌ଲିକୁ ମୁକୁଳାଇବାର ଆଶା ମଉଳିଯିବା ପରେ ବାଧ୍ୟହୋଇ ଦମ୍ପତି ଆଜି ସୋର ଥାନାକୁ ଆସି ଏ ନେଇ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଥିବାବେଳେ ଅପହର୍ତ୍ତାର ବାପା ଓ ଭାଇକୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର