ଗୁରୁ-ଶିଷ୍ୟ ସଂପର୍କରେ କଳଙ୍କ : ଅଶ୍ଳୀଳ ଭିଡିଓ ଦେଖାଇ ୪ ଛାତ୍ରୀଙ୍କୁ ଅସଦାଚରଣ, ଜେଲ୍‌ ଗଲେ ପ୍ରଧାନଶିକ୍ଷକ

ନୀଳଗିରି : ଯିଏ ଶିକ୍ଷାର ଆଲୋକ ଦେଖାଇ ଛାତ୍ରଛାତ୍ରୀଙ୍କୁ ବାଟ କଢ଼ାଇନିଏ, ସିଏ ବାଟ ହୁଡ଼ିଛି। ଶିକ୍ଷକତା ବୃତ୍ତିରେ ଲାଗିଛି କଳଙ୍କ। ଜଣେ ପ୍ରଧାନଶିକ୍ଷକ ଗୁରୁ-ଶିଷ୍ୟ ସଂପର୍କକୁ ଭୁଲି ଚାରି ଚାରିଜଣ କୋମଳମତି ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଫଳରେ ପ୍ରଧାନଶିକ୍ଷକ ଜଣକ ଆଜି ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ନିଜଗଡ଼ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ଯାହା ଜଣାପଡ଼ିଛି; ନିଜଗଡ଼ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ବାଲିଗୋହିରୀ ଗ୍ରାମର ଭାସ୍କର କୁମାର ପଣ୍ଡା କାର୍ଯ୍ୟ କରନ୍ତି। କିଛିଦିନ ହେବ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଚତୁର୍ଥ ଶ୍ରେଣୀର ୩ ଜଣ ଛାତ୍ରୀ ଏବଂ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଆସୁଥିଲେ। ଝାଡ଼ୁ ମାରିବାକୁ ଡାକି ଅଫିସ୍‌ ଭିତରେ ମୋବାଇଲ୍‌ରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇବା ସହ ସେମାନଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରୁନଥିବା ବେଳେ ଗତ ୬ ତାରିଖ ଦିନ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ନିଜ ବାପା ମା’ଙ୍କଠାରେ ସବୁକଥା ପ୍ରକାଶ କରିଥିଲେ। ପରେ ପ୍ରଧାନଶିକ୍ଷକଙ୍କ କାରନାମା ନେଇ ଅନ୍ୟ ୩ ଜଣ ଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଜାଣିବାକୁ ପାଇଥିଲେ। ଫଳରେ ଆଜି ସକାଳ ପ୍ରାୟ ୮ଟା ବେଳେ ସଂପୃକ୍ତ ଛାତ୍ରୀମାନଙ୍କ ଅଭିଭାବକମାନେ ଶତାଧିକ ଗ୍ରାମବାସୀଙ୍କ ସହ ସ୍କୁଲ୍‌କୁ ଆସି ଘଟଣା ସଂପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରିଥିଲେ। ମାତ୍ର ଶ୍ରୀ ପଣ୍ଡା ଘଟଣାକୁ ଅସ୍ୱୀକାର କରିବା ସହ ଓଲଟା ଧମକ ଦେଇଥିଲେ। ଯାହାକୁ ନେଇ ସ୍କୁଲ ପରିସର ଉତ୍ତେଜନା ଦେଖାଦେଇଥିଲା। ପରେ ଏନେଇ ନୀଳଗିରି ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ନଳିତା ମୋଦି ୨୧୩/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀ ପଣ୍ଡାକୁ ବାଲେଶ୍ୱର କୋର୍ଟରେ ହାଜର କରାଇଥିଲା। ତେବେ ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ୍‌ ହାତକୁ ପଠାଇଦିଆଯାଇଛି।

ଘଟଣା ସଂପର୍କରେ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କ ମତାମତ ନେବାରୁ ସେ ଏହାକୁ ଅସ୍ୱୀକାର କରିବା ସହ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଅନ୍ୟପଟେ ନୀଳଗିରି ବିଇଓ ଭଗୀରଥ ଗିରିଙ୍କୁ ପଚାରିବାରୁୁ ସେ ଘଟଣା ବିଷୟରେ ଅବଗତ ଥିବା କହିବା ସହ ତଦନ୍ତ କରାଯାଇ ଶ୍ରୀ ପଣ୍ଡାଙ୍କ ବିରୋଧରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର