ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍କକ ଅଧୀନସ୍ଥ ଖୁଦିଆମାଝିସାହି ପଞ୍ଚାୟତର ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋଚିରାମ ମାରାଣ୍ଡି ସ୍କୁଲ ଭିତରେ ମଦ ପିଇ ଗଡ଼ିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଘଟଣା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଳେଶ୍ଵର ବିଇଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ଵରୁପ ନିଲମ୍ବିତ କରିଥିବା ଜଣାଯାଇଛି।
ପ୍ରକାଶଯୋଗ୍ୟ ଯେ ପ୍ରଧାନ ଶିକ୍ଷକ ମୋଚିରାମ ମାରାଣ୍ଡି ସ୍କୁଲରେ ଡ୍ୟୁଟି ସମୟରେ ମଦ ପିଇ ଗୀତ ନାଚିଥିଲେ। ଏନେଇ ଅଭିଭାବକମାନେ ବିଦ୍ୟାଳୟରେ ତାଙ୍କୁ ତାଲା ପକାଇ ଦେଇଥିଲେ। ଏସମ୍ପର୍କରେ ସ୍କୁଲକୁ ଏବିଇଓ ଅଜୟ କୁମାର ଜେନା ଯିବା ସହ ତଦନ୍ତ କରି ବିଇଓଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ଆଧାରରେ ଜଳେଶ୍ଵର ବିଇଓ କାଳନ୍ଦୀ ସୋରେନ ପ୍ରଧାନ ଶିକ୍ଷକ ଶ୍ରୀ ମାରାଣ୍ଡିଙ୍କୁ ନିଲମ୍ବିତ କରିବା ସହ ତାଙ୍କୁ ଘଣ୍ଟିଆଡି ବିଦ୍ୟାଳୟରେ ଅବସ୍ଥାପିତ କରିଛନ୍ତି। ଆଦେଶ ନମ୍ବର ୧୧୩୯/୫.୪.୨୪ ମୂଳେ ବିଇଓ ଏହି ନିଲମ୍ବନ କରିଥିବା ଜଳେଶ୍ୱର ବିଇଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।