ଜଳେଶ୍ଵର: ଜଙ୍ଗଲି ଜନ୍ତୁ ପ୍ରେମରେ ବନ୍ଧା ପଡ଼ିଛି ମଣିଷ।ରାସ୍ତା ଉପରେ ମୃତ ମାଙ୍କଡ଼ ମା କୋଳରୁ ଉଦ୍ଧାର ହୋଇଥିବା ଗୋଟିଏ ମାଙ୍କଡ଼ ଛୁଆକୁ କିପରି ନିଜ ଛୁଆ ପରି ଲାଳନପାଳନ କରୁଛନ୍ତି, ଆଉ ଓଜାଡ଼ି ଦେଉଛନ୍ତି ପ୍ରେମ, ତାହାର ଉଦାହରଣ ପାଲଟିଛନ୍ତି ଜଳେଶ୍ଵର ବ୍ଲକ ଝାଡ଼ପିପଳ ଗ୍ରାମର ଶିବଶଙ୍କର ଜେନାଙ୍କ ପତ୍ନୀ ସୁକାନ୍ତି ଓରଫ ହେନା।
ସେଦିନ ଥିଲା ଫେବୃଆରୀ ୧୯ ତାରିଖ। ହେନାଙ୍କ ପୁଅ ବିଶ୍ବଜିତ ସ୍ଥାନୀୟ ବାଲିଆପାଳ ସ୍ଥିତ ସୁବର୍ଣ୍ଣରେଖା କଲେଜରେ ପାଠ ପଢନ୍ତି। ବିଶ୍ବଜିତ କଲେଜକୁ ଯାଉଥିବା ବେଳେ କଲେଜ ନିକଟରେ ଗୋଟିଏ ମୃତ ମାଙ୍କଡ ମା'ର କୋଳରେ ଅଣ୍ଡିରା ମାଙ୍କଡ ଛୁଆଟିଏ ଥିବାର ଦେଖିବାକୁ ପାଇଥିଲେ। ଅଣ୍ଡିରା ମାଙ୍କଡ଼ର ଆକ୍ରମଣରେ ମା ମାଙ୍କଡ଼ର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଦୁଇ ତିନି ଦିନର ଏହି ମାଙ୍କ ଛୁଆକୁ ବିଶ୍ବଜିତ ଉଦ୍ଧାର କରି ଘରକୁ ଆଣିବା ସହ ମା ହେନା ଙ୍କ ହାତରେ ଟେକି ଦେଇଥିଲେ। ଘରକୁ ଆଣିବା ସମୟରେ ଗୁରୁତର ଅବସ୍ଥାରେ ଥିବା ଏହି ମାଙ୍କଡ ଛୁଆ ଯେ ବଞ୍ଚିବ ଏହି ଆଶା କ୍ଷୀଣ ଥିଲା। ହେଲେ ନବ ଜାତକ ଛୁଆ ପରି ମା ହେନା ଆରମ୍ଭ କରିଥିଲେ ତାର ସେବା।

Advertisment

publive-image

ମାଙ୍କଡ଼ ଛୁଆର ସେ ନାମ ଦେଇଥିଲେ ରାମୁ। ସେହିଦିନ ଠାରୁ ହେନା ହୋଇ ଯାଇଛନ୍ତି ରାମୁର ମା। କେବଳ ହେନା କାହିଁକି ପରିବାରର ଯେକେହି ରାମୁ ବୋଲି ଡାକିଦେଲେ ଧାଇଁ ଆସେ। ନାଚି ପକାଏ। ପ୍ରତିଦିନ ଗୋଟିଏ ଲିଟର ଯାଏ କ୍ଷୀର ପିଏ। ଏବେ କିଛି ଦିନ ହେଲା ପାଚିଲା ପିଜୁଳି ମଧ୍ୟ ଖାଇ ପାରୁଛି ରାମୁ। ହେନା ନିଜେ ପଛେ ଭୋକରେ ରହି ଯିବେ କିମ୍ଵା ପରିବାରର ଯେକୌଣସି କାମ ଥିଲେବି ସେସବୁକୁ ପଛରେ ପକାଇ ଆଗ ମାଙ୍କଡ଼ ଛୁଆର ଯତ୍ନ ନେଉଛନ୍ତି। ହେନାଙ୍କ ପାଖରେ ରାମୁ ଶୁଏ,ବସେ ସବୁ କରେ।ଗାଁରେ ହେନାଙ୍କର ଏକ ପାର୍ଲର ରହିଛି। ସେହି ପାର୍ଲରକୁ ରାମୁ କେବେ କେବେ ଯାଏ। ଆଉ ସେହି ସମୟରେ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଏ। ବିଶ୍ବଜିତକୁ ନଦେଖିଲେ ଏଣେତେଣେ ଦୌଡାଦୌଡି କରେ। ହେନା ହୁଅନ୍ତୁ କି ତାଙ୍କ ପରିବାରର କେହି କୌଣସି କାମରେ ବାଲିଆପାଳ, ଜଳେଶ୍ଵର ବଜାରକୁ ଗଲେ ସେମାନଙ୍କ କାନ୍ଧ ଉପରେ ବସି ସ୍କୁଟରରେ ଯାଏ ରାମୁ। ବାହାରକୁ ଯିବା ସମୟରେ ରାମୁ ଡ୍ରେସ ପିନ୍ଧେ। ମଝିରେ ମଝିରେ ରାମୁକୁ ତେଲ ନହେଲେ ସାବୁନ ଲଗେଇ ଗାଧୋଇ ଦିଅନ୍ତି ହେନା।

ପ୍ରତିଦିନ ରାତିରେ ୪ ଥର ପାଖାପାଖି କ୍ଷୀର ପିଏ ରାମୁ। ଆଉ ରାତି ଉଜାଗର ରହି ପ୍ରତି ଦୁଇ ଘଣ୍ଟାରେ ଥରେ ହେନା କ୍ଷୀର ପିଆଇ ଦିଅନ୍ତି। ଝାଡ଼ା ପରିସ୍ରା ପାଇଁ ରାମୁ ବାହାରକୁ ଯାଏ ଜଣେ ସଚେତନ ମଣିଷ ପରି। ଗତ ଜୁନ ମାସରେ ଘରର ଅଗଣାରେ ରାମୁ ଖେଳୁଥିବା ବେଳେ ଏକ ବଡ଼ ଅଣ୍ଡିରା ମାଙ୍କଡ ଆକ୍ରମଣରେ ସେ ଗୁରୁତର ହୋଇଥିଲା। ବାଲିଆପାଳ ପ୍ରାଣୀ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରୁ ନିରାଶ ହୋଇ ଫେରିଥିଲେ ହେନା। ତେବେ ଇଡକୋ ଡାକ୍ତରଖାନାରେ ତାର ଚିକିତ୍ସା ସହ ହେନାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେ ଏବେ ପୁରା ସୁସ୍ଥ। ମାଙ୍କଡ଼ ସହ ମଣିଷର ଏହି ନିବିଡ଼ ସମ୍ପର୍କକୁ ନେଇ ହେନାଙ୍କ ପରିବାର ଏବେ ଚର୍ଚ୍ଚାରେ। ମାଙ୍କଡ଼ ସହ ବିତାଉଥିବା ମୁହୁର୍ତ୍ତର ଭିଡିଓକୁ ହେନା ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରି ଅଜସ୍ର ପ୍ରଶଂସା ସାଉଁଟୁଛନ୍ତି।